ବାତ୍ୟା ଯୋଗୁ କୋହଳ ହେଲା ଲକ୍‌ଡାଉନ୍‌ କଟକଣା

ଭୁବନେଶ୍ୱର,୨୪।୫: ସମ୍ଭାବ୍ୟ ବାତ୍ୟା ୟାସ୍‌କୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲାରେ ଲକଡାଉନ କଟକଣା ଆସନ୍ତା ୨ ଦିନ ପାଇଁ ସାମାନ୍ୟ କୋହଳ ହୋଇଛି। ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା ରହିବ ଦୋକାନ। ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ୧୦ଟି ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା। ଏହି ଜିଲାରେ ଆଜି ଏବଂ ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ରାସ୍ତାକଡ଼, ଗୋଟିକିଆ ଦୋକାନ, ଓମଫେଡ ଦୋକାନ, ତେଜରାତି, ଫଳ, ପନିପରିବା, ଆମିଷ ଆଦି ଦୋକାନ ଅପରାହ୍ନ ୧ ଯାଏ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ବାକି ସବୁ ଜିଲାରେ ସକାଳ ୭ଟାରୁ ୧୧ଟା ଦୋକାନ ଖୋଲା ରହିବ।
ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଗଭୀର ଅବପାତର ରୂପ ନେବା ପରେ ଆଜି ବାତ୍ୟାରେ ପରିଣତ ହୋଇଛି। ଏହା ୨୬ ତାରିଖ ମଧ୍ୟାହ୍ନରେ ପାରଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

Share