ସମୂହ ଛୁଟି ନେଇ ଧାରଣାରେ ଶିକ୍ଷୟିତ୍ରୀ, ୧୩୧ ବିଦ୍ୟାଳୟରେ ଝୁଲିଲା ତାଲା

ବୁଗୁଡ଼ା,୧୪ା୯(କାଳୀଚରଣ ଦାଶ): ୩ ଦଫା ଦାବି ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ଧାରଣାରେ ସବୁ ବର୍ଗର ପ୍ରାଥମିକ ଶିକ୍ଷୟିତ୍ରୀ/ଶିକ୍ଷକ ଅଂଶଗ୍ରହଣ କରିଥିବା ବେଳେ ବିଇଓ କାର୍ଯ୍ୟାଳୟ ଅଧିନସ୍ଥ ୧୩୧ଟି ବିଦ୍ୟାଳୟରେ ତାଲା ଝୁଲୁଥିବାରୁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ପ୍ରାଥମିକ ଶିକ୍ଷକ ସଂଘର ଏହି ଧାରଣା  ସେମାନଙ୍କ ଦାବି ପୂରଣ ନ ହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘ ସଭାପତି ମନୋରଞ୍ଜନ ଦାଶଙ୍କଠାରୁ ପ୍ରକାଶ ପାଇଥିବା ବେଳେ ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକଙ୍କୁ ଚିନ୍ତା ଘାରିଛି। ଅନ୍ୟପକ୍ଷରେ ଦାବିକୁ ନେଇ ସରକାର ଓ ଶିକ୍ଷକ ସଂଘ ମୁହାଁମୁହିଁ ହୋଇଥିବାରୁ ପିଲାଙ୍କ ପାଠପଢ଼ାରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତେବେ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ପ୍ରୟାସ ଜାରି ରହିଥିବା ବିଇଓ ଚିନ୍ମୟ ମହାପାତ୍ରଙ୍କଠାରୁ ପ୍ରକାଶ।