ପଦ୍ମପୁର, ୧୪।୧୧ (ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦଧିବାମନପୁର ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ରାତିରେ କେହି ଦୃର୍ବୃତ୍ତ ତାଲା ପକାଇ ଦେଇଥିଲେ। ଫଳରେ ସୋମବାର ଛାତ୍ରୀଛାତ୍ର ଅଙ୍ଗନୱାଡି କେନ୍ଦ୍ର ବାରଣ୍ଡାରେ ବସି ପାଠ ପଢ଼ିଥିଲେ।
ସୂଚନା ଅନୁଯାୟୀ, ସୋମବାର ସକାଳେ କର୍ମୀ ବିନିଲତା ବେହେରା ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ଆସି ଆଉ ଏକ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ନାୟକାଣିଡିହୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଚୂଡ଼ାମଣି ସାମୁଦ୍ରିକ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ, ନାୟକାଣିଡିହୀ ଥାନା ଏସ୍ଆଇ ବନମାଳୀ ପରିଡ଼ା, ଏଏସ୍ଆଇ ସୁନାରାମ ମାରାଣ୍ଡି ଅନ୍ୟ ପୋଲିସ କର୍ମଚାରୀ ଓ ଅଙ୍ଗନଓ୍ବାଡି ସୁପରଭାଇଜର ମଞ୍ଜୁଲତା ଜେନାଙ୍କ ସହ ଅଙ୍ଗନଓ୍ବାଡି କେନ୍ଦ୍ରରେ ପହଞ୍ଚିଥିଲେ। ପୋଲିସ ଉକ୍ତ ତାଲା ଭାଙ୍ଗିବା ସହ ନୂତନ ଚାବିକାଠି ଅଙ୍ଗନୱାଡି କର୍ମୀଙ୍କୁ ହସ୍ତାନ୍ତର କରିଥିଲା। ତେବେ ତାଲା ଖୋଲାହେବା ପର୍ଯ୍ୟନ୍ତ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପଢ଼ିଥିବାରୁ ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେମାନେ ଦାବି କରିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ