ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୦୨ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଉକ୍ତ ସ୍କୁଲ ଧାର୍ଯ୍ୟ ସମୟରେ ଖୋଲୁ ନ ଥିବା ନେଇ ମଙ୍ଗଳବାର ସେଠାକାର ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପାଇଁ ସକାଳ ୧୦ଟା ବେଳେ ସେଠାରେ ପହଞ୍ଚତ୍ବା ବେଳେକୁ ପିଲାଙ୍କୁ ବାରଣ୍ଡାରେ ବସିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସ୍କୁଲରେ ତାଲା ପଡ଼ିଥିଲା। ସେଠାରେ ଜଣେ ପାଚିକା ଉପସ୍ଥିତ ଥିଲେ।
ତାଲା ପଡିବା ସମ୍ପର୍କରେ ପଚାରିବାରୁ ଶିକ୍ଷୟିତ୍ରୀ ଏବେ ଆସିବେ ବୋଲି ସମ୍ପୃକ୍ତ ପାଚିକା କହିଥିଲେ । ଘଟଣା ସମ୍ପର୍କରେ ପ୍ରାଧାନ ଶିକ୍ଷୟତ୍ରୀ ଶୁଭ୍ରାରାଣୀ ବିଶ୍ୱାସ କହିଛନ୍ତି, ବିଇଓ ଅଫିସରେ କାମଥିବାରୁ ସେ କୁଜଙ୍ଗ ଯାଇଥିଲେ। ଜଣେ ଅତିରିକ୍ତ ଶିକ୍ଷକ ୧୦ଟାରେ ପହଞ୍ଚି ଥିଲେଏବଂ ୧୦ଟା୫ରେ ପ୍ରାର୍ଥନା କରାଯାଇଛି।
ଏ ପ୍ରସଙ୍ଗରେ ଅଭିଭାବକ ଦେବ ମଣ୍ଡଳ କୁହନ୍ତି, ସବୁଦିନ ସ୍କୁଲକୁ ଶିକ୍ଷୟିତ୍ରୀମାନେ ୧୦ଟା ପରେ ଆସୁଛନ୍ତି। ଏସମ୍ପର୍କରେ ତାଗିଦ୍‌ କରାଯାଇଥିବା ନେଇ ସିଆରସିସି ଶୁକାନ୍ତ ସ୍ବାଇଁ କହିଛନ୍ତିି। ବିଇଓ (ବ୍ଲକ ଶିକ୍ଷାଧିକାରୀ)ପବିତ୍ର ମୋହନ କରଙ୍କୁ ପଚାରିବାରୁ ସେ ମଙ୍ଗଳବାର କାର୍ଯ୍ୟରେ ଯୋଗଦାନ କରିଥିବା କହିଛନ୍ତି। ଅପରପକ୍ଷେ ଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଏହି ସ୍କୁଲ ଗୃହ ନିର୍ମାଣ କରାଯାଇନାହିଁ। ୨୦୧୯ ପର୍ଯ୍ୟନ୍ତ ଏକ କୁକୁଡ଼ା ଭାଡି ସଦୃଶ ଗୃହରେ ପିଲାଙ୍କୁ ପାଠପଢା ହେଉଥିଲା। ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ପୌରପାଳିକା ଏକ ଗୋଷ୍ଠୀ ଗୃହ ନିର୍ମାଣ କରିଥିଲା। ସେହି ଗୋଷ୍ଠୀଗୃହକୁ ୨୦୧୯ ମାର୍ଚ୍ଚ ୭ ରେ ଉଦ୍‌ଘାଟନ କରାଯାଇଛି। ସେଠାରେ ପିଲା ପଢୁଛନ୍ତି। ଘର କାନ୍ଥରେ ପୌରପାଳିକା ଫଳକ ଲାଗିଛି। ସେହି କାନ୍ଥର କବାଟ ପାଖରେ ଆଉ ଏକ ଫଳକ ଲାଗିଛି। ସେଥିରେ ଦର୍ଶାଯାଇଛି, ଏସାର ବଲ୍କ ଟର୍ମିନାଲ ପ୍ରାଇଭେଟ ଲିମିଟେଲଡ୍‌(ଇବିଟିପିଏଲ)ଏହି ଘରକୁ ମେଣ୍ଟେନାନ୍ସ କରିଛି। ଅର୍ଥାତ ଗୋଟିଏ ଘରକୁ ପୌରପାଳିକା ଓ ଇବିଟିପିଏଲ ପକ୍ଷରୁ ୩ ବର୍ଷ ମଧ୍ୟରେ ନିର୍ମାଣ ଓ ମରାମତି କରାଯାଇଛି। ଘଟଣା ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କୁହନ୍ତି, କମ୍ପାନୀ ସେଠାରେ ଆଉ ଏକ ଟିଣ ରୋଷେଇଘର କରିଛି। ସେଠାରେ ଫଳକ ନ ଲଗାଇ ପୌରପାଳିକା ଘରେ ଲଗାଇବା ଘଟଣା ନିନ୍ଦନୀୟ। ଏହାର ଯାଞ୍ଚ କରାଯିବ।

Share