Advertisement

ପୁରୁଷ ୱାର୍ଡରେ ତାଲା, ବାରଣ୍ଡାରେ ରୋଗୀ

ଆନନ୍ଦପୁର,୩୧ା୩(ଉମେଶ ଚନ୍ଦ୍ର ପାଢ଼ୀ)କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପୁରୁଷ ୱାର୍ଡ ବନ୍ଦ ରହିଛି। ଓ୍ବାର୍ଡ ଛାତରୁ ପ୍ଲାଷ୍ଟର ଖସି ଜଣେ ରୋଗୀ ଆହତ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବନ୍ଦ କରିଥିବା ବେଳେ ରୋଗୀ ବାରଣ୍ଡରେ ଚିକିତ୍ସିତ ହେଉଥିବା ଦେଖାଯାଇଛି। ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଡାକ୍ତରଖାନାର ରୂପାନ୍ତରୀକରଣ କରାଯାଇଥିଲା। ମାତ୍ର କିଛିଦିନ ଭିତରେ ଛାତରୁ ପ୍ଲାଷ୍ଟର ଖସିବା ପରେ ନିର୍ମାଣ କାର୍ଯ୍ୟର ମାନକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ସୂଚନା ମୁତାବକ, ଗତ ୨୫ ତାରିଖରେ ହାଟଡ଼ିହୀ ବ୍ଲକ୍‌ ଢେଙ୍କା ପଞ୍ଚାୟତ ବାରିଗାଁର ନାରାୟଣ ନାହାକଙ୍କ ପୁଅ ରାଜେଶ ନାହାକ(୨୦) ଉପଖଣ୍ଡ ଡାକ୍ତରଖାନାର ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ରକ୍ତ ଦିଆଯାଉଥିବା ବେଳେ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ତାଙ୍କ ମୁଣ୍ଡରେ ପଡ଼ି ଆହତ ହୋଇଥିଲେ। ତାଙ୍କୁ ଅନ୍ୟ ୱାର୍ଡକୁ ନେଇ ଚିକିତ୍ସା କରାଯାଇଥିଲା। ପରେ ଉକ୍ତ ୱାର୍ଡକୁ ଖାଲି କରାଯାଇ ୱାର୍ଡ ବାହାର ବାରଣ୍ଡାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏଠାରେ ଫ୍ୟାନ୍‌ ନ ଥିବାରୁ ଗରମରେ ରୋଗୀମାନେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଛାତରୁ ପ୍ଲାଷ୍ଟର ଖସିବା ନୂଆ କଥା ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ପ୍ଲାଷ୍ଟର ଖସି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆହତ ହେବା ନଜିର ରହିଛି। ଗତ ଅଗଷ୍ଟ ୨୮ରେ ଡ୍ରେସିଂ ରୁମ୍‌ରୁ ପ୍ଲାଷ୍ଟର ଓ ସିଲିଂ ଖସିଥିଲା। ଏହି ସମୟରେ କର୍ମଚାରୀ ଅନୁପସ୍ଥିତ ଥିବାରୁ କେହି ଅଳ୍ପକେ ବର୍ତ୍ତିଯାଇଥିଲେ। ଡିଏମ୍‌ଏଫ୍‌ରୁ ଚଳିତବର୍ଷ ‘ଆମ ହସ୍ପିଟାଲ’ ଯୋଜନାରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ଡାକ୍ତରଖାନାର ରୂପାନ୍ତରୀକରଣ କରାଯାଇଥିଲା। ଉଦ୍‌ଘାଟନକୁ ମାସେ ନ ପୂରୁଣୁ ଛାତରୁ ପ୍ଲାଷ୍ଟର ଖସିଲାଣି। ଫଳରେ ଏହାର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଦେଖାଦେଇଛି। ଏ ନେଇ ପ୍ରେସ୍‌ ଫୋରମ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟାକୁ ନେଇ ଜିଲାପାଳ ଓ କେନ୍ଦୁଝର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରଯାଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। କେନ୍ଦୁଝର ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଉପଖଣ୍ଡ ଡାକ୍ତରଖାନା ଅଧିକାରୀ ଧନେଶ୍ୱର ସେଠୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share