କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ କିଛି ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇଦେବାକୁ ସରକାର ବିଧିବଧ ଭାବେ ଘୋଷଣା କରିଛନ୍ତି, ଯାହାକୁ ନେଇ ଅସ୍ତରଙ୍ଗ ବ୍ଲକ ସହ ମତ୍ସ୍ୟ ଅଧିକାରୀ କାର୍ଯ୍ୟାଳୟରେ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। କିନ୍ତୁ ଶୁକ୍ରବାର ଅସ୍ତରଙ୍ଗ ବ୍ଲକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ପାଖାପାଖି ୫୦ରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ସେମାନଙ୍କ ଅନୁକମ୍ପା ରାଶି ପାଇବାକୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କାର୍ଯ୍ୟାଳୟରେ ତାଲା ଝୁଲୁଥିଲାବେଳେ ଅଧିକାରୀ, ସହଯୋଗୀ, କୌଣସି କର୍ମଚାରୀଙ୍କ ଦେଖା ନ ଥିଲା। ବାଧ୍ୟ ହୋଇ ମତ୍ସ୍ୟଜୀବୀ ନିରାଶ ହୋଇ ଘରକୁ ଫେରିଥିଲେ। ଏହି ବାବଦରେ ଗଣମାଧ୍ୟମ ଦ୍ୱାରା ସହକାରୀ ମତ୍ସ୍ୟ ଅଧିକାରୀ ସତ୍ୟବ୍ରତ ଦାସଙ୍କୁ ପଚରିବାରେ, ଶୁକ୍ରବାର କାର୍ଯ୍ୟାଳୟ ବନ୍ଦ ରଖାଯାଇଥିଲା। ସମସ୍ତ କର୍ମଚାରୀ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସଚେତନତା କାର୍ଯ୍ୟ ପାଇଁ ୨୧ଟି ଗ୍ରାମ ବୁଲିଥିବା କହିଛନ୍ତି। ଯଦି ଅଫିସରମାନେ ସଚେତନତା କାର୍ଯ୍ୟ ପାଇଁ ଗ୍ରାମାଞ୍ଚଳକୁ ଯାଇଥିଲେ, ତେବେ ସେମାନେ ଅଫିସରେ ସୂଚନା ଫଳକ କାହିଁକି ଲଗାଇ ନ ଥିଲେ। ଏହି ଘଟଣା ଉପରେ ନିରପେକ୍ଷ ତଦନ୍ତ କରାଯାଉ। ସେଦିନ ଅଫିସରମାନେ କେଉଁ କେଉଁ ଗ୍ରାମରେ କାର୍ଯ୍ୟାଳୟ ସମୟରେ ଅସ୍ତରଙ୍ଗ ମତ୍ସ୍ୟ ବିଭାଗର କେଉଁ କେଉଁ କର୍ମଚାରୀ ନିୟୋଜିତ ଥିଲେ, ତାହାର ସବିଶେଷ ତଥ୍ୟ ଦିଆଯାଉ। ଫଳରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଭିତରେ ସୃଷ୍ଟି ହେଉଥିବା ସନ୍ଦେହ ଦୂରୀଭୂତ ହେଇପାରିବ ବୋଲି ଅସ୍ତରଙ୍ଗ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆଶା ପ୍ରକଟିତ କରାଯାଇଛି।