ରାଜସ୍ବ ନିରୀକ୍ଷକଙ୍କ ଅଫିସରେ ତାଲା

ଖଜୁରିପଡ଼ା,୫ା୯(ବିଦୁର ବେହେରା): ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଜମି ଜମା, ଜାତି ଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର ଆଦି ସମସ୍ୟାର ସମାଧାନ ପାଇଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି। କିନ୍ତୁ ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କ ଅଫିସରେ ତାଲା ଝୁଲି ରହିଥିବାରୁ ଅଧିକାରୀଙ୍କୁ ଭେଟ ନ ପାଇ ଦୂର ଦୁରାନ୍ତରୁ ଆସିଥିବା ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି।
ଅଭିଯୋଗ ପ୍ରକାରେ, ଖଜୁରିପଡ଼ା ତହସିଲ ଅନ୍ତର୍ଭୁକ୍ତ ସୁଡ୍ରୁକୁମ୍ପା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅନେକ ସମୟ ତାଲା ପଡ଼ି ରହୁଛି। ବିଲବାଡ଼ି ପଞ୍ଚାୟତର ଲୋକମାନେ ପାହାଡ ପର୍ବତ ଡେଇଁ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ରାଜସ୍ବ ନିରୀକ୍ଷକ ଘଣ୍ଟା ଘଣ୍ଟା ଅପେକ୍ଷା କରି ସମସ୍ୟା ଭୋଗୁଛନ୍ତି। ଅନ୍ୟପକ୍ଷେ ସୁଡ୍ରେଜୁ, ବିଲବାଡ଼ି, ସୁଡୁ ରୁକୁମ୍ପା ପଞ୍ଚାୟତକୁ ନେଇ ଏହି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲା ଯାଇଛି। ଏହି ତିନି ପଞ୍ଚାୟତ ଉପାନ୍ତ ଅଞ୍ଚଳରେ ରହିଛି। ତେଣୁ ଏହି କାର୍ଯ୍ୟାଳୟ ଅଧୀନରେ ଆସୁଥିବା ଅନେକ ଗ୍ରାମର ଲୋକ ନିଜ ନିଜର ସମସ୍ୟା ପାଇଁ ଆସୁଥିଲେ ମଧ୍ୟ ତାଲା ଝୁଲୁ ଥିବା ଦେଖି ଅନେକ ସମୟ ଅପେକ୍ଷା କଲା ପରେ ଘରକୁ ଫେରି ଯାଉଛନ୍ତି।
ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରା ନ ଯାଏ ତେବେ ଅନେକ ଗ୍ରାମବାସୀ ତହସିଲ ଅଫିସ ସମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ରାଜସ୍ବ ନିରୀକ୍ଷକ ଅନୁପମା ପ୍ରଧାନଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ପରବର୍ତ୍ତୀ ସମୟରେ ଖଜୁରିପଡା ତହସିଲଦାର ବିଜୟ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାଜସ୍ବ ନିରୀକ୍ଷକ ଅଧିକାରୀମାନେ ଫିଲ୍ଡ ଡ୍ୟୁଟିରେ ଯାଇଥିବେ କିମ୍ବା ଡିମାରକେଶନ ପାଇଁ ଯାଇଛନ୍ତି ବୋଲି କହିଥିଲେ। କାର୍ଯ୍ୟାଳୟରେ ରାଜସ୍ବ ନିରୀକ୍ଷକଙ୍କ କେଉଁ କ୍ଷେତ୍ରକୁ ଯାଇଛନ୍ତି ତାହା ସୂଚନା ଫଳରେ ଉଲେଖ କରିବା କଥା। କିନ୍ତୁ ବିଭାଗ ପକ୍ଷରୁ ବ୍ୟବହାର କରାଯାଉ ନାହିଁ ବୋଲି ମଧ୍ୟ ସରପଞ୍ଚ ଅଭିଯୋଗ କରିଛନ୍ତି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଆବଶ୍ୟକ ରହିଛି।

Share