ପ୍ରକୋଷ୍ଠରେ ତାଲା, ବାରଣ୍ଡାରେ ପଢ଼ିଲେ

ଢେଙ୍କାନାଳ ଅଫିସ,୨୦।୧: ଶିକ୍ଷକଙ୍କୁ ମନଇଚ୍ଛା ପଠାଯାଉଛି ଡେପୁଟେଶନରେ। ମୁଣ୍ଡ ଉପରେ ପରୀକ୍ଷା ଥିବାବେଳେ ପାଠପଢ଼ା ଗୁରୁତ୍ୱର ଭାବେ ପ୍ରଭାବିତ ହେଉଛି। ଏଭଳି ଅବ୍ୟବସ୍ଥା ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ ସୋଗରପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର। ସେମାନେ ୩ଦିନ ହେଲା ବିଦ୍ୟାଳୟ ପ୍ରକୋଷ୍ଠରେ ତାଲା ପକାଇ ବାରଣ୍ଡାରେ ପଢୁଛନ୍ତି। ଏପରି କି ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ହୋଇଯାଇଥିବାରୁ ଘରୁ ବିସ୍କୁଟ ଆଣି ଖାଉଛନ୍ତି।
ଉଲ୍ଲେଖଯୋଗ୍ୟ, ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୯୮ ପିଲା ପାଠ ପଢୁଛନ୍ତି। ଆଠଟି ଶ୍ରେଣୀ ପାଇଁ ଅନୂ୍ୟନ ୫ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ୪ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକଙ୍କୁ ବାରମ୍ବାର ଡେପୁଟେଶନରେ ପଠାଯାଉଛି। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏ ସଂକ୍ରାନ୍ତରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଭାବକ ଓ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବିଇଓ ବ୍ରହ୍ମାନନ୍ଦ ରାଉତ କୁହନ୍ତି, ସେମିତି କିଛି ଅସୁବିଧା ନାହିଁ। ନିକଟ ବିଦ୍ୟାଳୟରେ ଜଣେ ଶିକ୍ଷକ ନ ଥିବାରୁ ସେଠାକୁ ସମ୍ପୃକ୍ତ ଶିକ୍ଷକଙ୍କୁ ଡେପୁଟେଶନରେ ପଠାଯାଇଛି। ଉକ୍ତ ସ୍କୁଲକୁ ଶିକ୍ଷକ ଆସିଲେ ତାଙ୍କୁ ପୁନର୍ବାର ସୋଗରପଶି ସ୍କୁଲକୁ ଫେରାଇ ଅଣାଯିବ।

Share