Categories: ବାଣିଜ୍ୟ

ଭୁବନେଶ୍ୱରରେ ଲଜିଷ୍ଟିକ୍‌ କଲୋକ୍ୟୁମ୍‌-୨୦୨୪

ଭୁବନେଶ୍ୱର, ୨୭।୭: ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଲଜିଷ୍ଟିକ୍‌ କଲୋକ୍ୟୁମ୍‌-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏପରିକି ‘ପୂର୍ବ ଭାରତରେ ଲଜିଷ୍ଟିକ ପରିବର୍ତ୍ତନ: ବ୍ୟବଧାନ ଦୂରୀକରଣ ଏବଂ ଭବିଷ୍ୟତ ନିର୍ମାଣ’ ଶୀର୍ଷକ ଏହି ୨ ଦିନିଆ ସମ୍ମିଳନୀରେ ପ୍ରମୁଖ ଅଂଶୀଦାର, ଶିଳ୍ପ ନେତା ଏବଂ ସରକାରୀ ଅଧିକାରୀମାନେ ଏକାଠିହୋଇ ଏହି ଅଞ୍ଚଳର ବିକାଶ ଏବଂ ଅର୍ଥନୈତିକ ସମୃଦ୍ଧିରେ ଲଜିଷ୍ଟିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ।
ବିଶ୍ୱବ୍ୟାଙ୍କର ଉପଦେଷ୍ଟା ତଥା ଗେଟ୍‌ୱେ ରେଲ୍‌ ଫ୍ରେଟ୍‌ ଲିମିଟେଡ୍‌ର ପୂର୍ବତନ ସିଇଓ ତଥା ନିର୍ଦ୍ଦେଶକ ସଚିନ ଭାନୁଶାଳୀ ବର୍ତ୍ତମାନର ସଡ଼କ ପରିବହନ ବ୍ୟବସ୍ଥାରେ ବିଭିନ୍ନ ଆହ୍ବାନ ସମ୍ପର୍କରେ ଆଲୋକପାତ କରିବା ସହ ପାଶ୍ଚାତ୍ୟ ମାନକ ଭଳି ଉନ୍ନତ ନିୟନ୍ତ୍ରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଅଧ୍ୟକ୍ଷ ବିଜୟ କୁମାର ପରିବହନର ଏକ ସ୍ଥାୟୀ ମାଧ୍ୟମ ଭାବେ ଜାତୀୟ ଜଳପଥର ଭୂମିକା ଉପରେ ଆଲୋକପାତ କରିଥିଲେ।
ଆଦାନୀ ପୋର୍ଟସ୍‌ ଆଣ୍ଡ ସ୍ପେଶାଲ ଇକୋନୋମିକ୍‌ ଜୋନ୍‌ ଲିମିଟେଡ୍‌ର ସଭାପତି ସୁବ୍ରତ ତ୍ରିପାଠୀ କହିଛନ୍ତି, ପାରାଦୀପ ବନ୍ଦର ସମେତ ବିଭିନ୍ନ ବନ୍ଦରରେ କଣ୍ଟେନର କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଘଟୁଛି।
କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (କନ୍‌କୋର)ର ଏରିଆ ହେଡ୍‌ ରବି ପ୍ରକାଶ ଚତୁର୍ବେଦୀ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶରେ ଭାରତର ଲଜିଷ୍ଟିକ୍‌ ସୂଚକାଙ୍କରେ ଯଥେଷ୍ଟ ଉନ୍ନତି ଘଟିଛି।
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଡା. ପ୍ରଦୀପ୍ତ ମହାନ୍ତି କହିଛନ୍ତି, ଖର୍ଚ୍ଚ ହ୍ରାସ କରିବା ଏବଂ ଉତ୍ପାଦ ଓ ସେବାକୁ ଘରୋଇ ଓ ବିଶ୍ୱସ୍ତରରେ ଅଧିକ ଉପଲବ୍ଧ କରାଇବା ପାଇଁ ଦକ୍ଷ ଲଜିଷ୍ଟିକ୍ସ ଅତ୍ୟନ୍ତ ଜରୁରୀ। ୨୦୨୪ ଅଗଷ୍ଟ ୨୦ ରେ କୋଲକାତାରେ ହେବାକୁ ଥିବା ସିଆଇଆଇ ଏକ୍‌ସିମ୍‌ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ସେ ଓଡ଼ିଶାର ଶିଳ୍ପସଂସ୍ଥାଗୁଡ଼ିକୁ ଆମନ୍ତ୍ରଣ କରିଥିଲେ।

Share