Categories: ଜାତୀୟ

ଇଣ୍ଟରପୋଲ୍‌ ସାଧାରଣ ସଭାର ଲୋଗୋ କୋଣାର୍କ ଚକ

ନୂଆଦିଲ୍ଲୀ,୧୯।୯(ପି.ଟି.): ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭାରେ କୋଣାର୍କ ସୂର୍ଯ୍ୟମନ୍ଦିରର ରଥ ଚକ ପ୍ରେରଣାଦାୟୀ ଲୋଗୋ ହେବାକୁ ଯାଉଛି। ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ଏହି ୩ ଦିନିଆ ଜେନେରାଲ ଆସେମ୍ବ୍ଲିରେ ୧୯୫ଟି ଦେଶର ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଯୋଗଦେବେ। ଏହାର ଆୟୋଜକ ଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ଲୋଗୋ ଉନ୍ମୋଚନ କରିଛି। ଉକ୍ତ ଲୋଗୋର କେନ୍ଦ୍ରସ୍ଥଳରେ କୋଣାର୍କ ଚକ ରହିଥିବାବେଳେ ଏହାର ଚତୁଃପାର୍ଶ୍ୱରେ ବୃତ୍ତାକାରରେ ତିନିରଙ୍ଗର ପତ୍ରଗୁଡ଼ିକର ଚିତ୍ର ରହିଛି। କୋଣାର୍କ ସୂର୍ଯ୍ୟମନ୍ଦିର ଏକ ରଥ ଆକୃତିର ହୋଇଥିବାବେଳେ ସେଥିରେ ୨୪ ଚକ ଓ ପ୍ରତି ଚକରେ ୧୬ଟି ଅର ରହିଛି। ଇଣ୍ଟରପୋଲ୍‌ ପ୍ରତ୍ୟହ ୨୪ ଘଣ୍ଟା କାର୍ଯ୍ୟ କରିବା ଲାଗି ଏହି ଲୋଗୋ ପ୍ରେରିତ କରିବ ବୋଲି କୁହାଯାଇଛି।
୧୯୯୭ରେ ଭାରତ ଇଣ୍ଟରପୋଲ୍‌ ସାଧାରଣ ସଭାର ଆୟୋଜନ କରିଥିଲା। ଏଥର ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରାଯାଉଥିବାରୁ ଇଣ୍ଟରପୋଲ୍‌ ସମ୍ମିଳନୀ ଆୟୋଜନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍ୟମ କରିଥିଲେ। ଜେନେରାଲ ଆସେମ୍ବ୍ଲିରେ ମୁଖ୍ୟତଃ ଦୁର୍ନୀତି, ସାଇବର କ୍ରାଇମ୍‌, ଇଣ୍ଟରନେଟ୍‌ରେ ପ୍ରସାରିତ ଶିଶୁ ଯୌନ ଶୋଷଣ ଉପକରଣ, ନିରୁଦ୍ଦିଷ୍ଟ ବ୍ୟକ୍ତି, ଆତଙ୍କବାଦ ଉପରେ ଆଲୋଚନା କରାଯିବ। ଏହାବ୍ୟତୀତ ସାରା ବିଶ୍ୱର ବିଭିନ୍ନ ଦେଶରୁ ଦୁର୍ଦ୍ଧର୍ଷ ଅପରାଧୀମାନଙ୍କୁ ଧରିବାରେ ପୋଲିସ-ପୋଲିସ ମଧ୍ୟରେ ସମନ୍ବୟ ବଢ଼ାଇବା ନିମନ୍ତେ ନୂଆ ପ୍ରଯୁକ୍ତି ଓ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

Share