ବିଜେଡିର ଲୋକ ସଭା ପ୍ରାର୍ଥୀ: ୨୧ରୁ ୬ ରିପିଟ୍‌

ଭୁବନେଶ୍ୱର,୧୧।୪: ଚତୁର୍ଥ ପର୍ଯ୍ୟାୟରେ ବିଜେଡି ବଳକା ଲୋକ ସଭା ଆସନ ପ୍ରାର୍ଥୀ ଘୋଷଣା କରିଛି। ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଛି। ମୋଟ ୨୧ଟି ଲୋକ ସଭା ଆସନ ମଧ୍ୟରୁ ଦଳ ମାତ୍ର ୪ଜଣ ଏମ୍‌ପିଙ୍କୁ ରିପିଟ୍‌ କରିଛି। ଆଉ ୨ଜଣ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସ୍ଥାନ ପରିବର୍ତ୍ତନ କରିଥିବା ବେଳେ କୌଶଲ୍ୟା ହିକକାଙ୍କୁ କୋରାପୁଟରୁ ଲିବାକୁ ଆଉଥରେ ସୁଯୋଗ ଦେଇଛି।

ଅନ୍ୟପଟେ, ବିଜେଡି ଲୋକ ସଭା ନିର୍ବାଚନରେ ମୋଟ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେବାର ପ୍ରତିଶ୍ରୁତି ପୂରଣ କରିଛି। ଦଳ ଯାଜପୁର-ଶର୍ମିଷ୍ଠା ସେଠୀ ଓ ଭଦ୍ରକ-ମଞ୍ଜୁଲତା ମଣ୍ଡଳ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକଙ୍କୁ ରିପିଟ୍‌ କରିଥିବାବେଳେ କୋରାପୁଟରେ ଗତଥର ପରାଜିତ କୌଶଲ୍ୟାଙ୍କୁ ପୁଣିଥରେ ସୁଯୋଗ ଦେଇଛି। ସେହିପରି ଆସିକାରୁ ରଞ୍ଜିତା ସାହୁ, ବରଗଡରୁ ପରିଣୀତା ମିଶ୍ର ଓ ବାଲେଶ୍ୱରରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଶାଇ ମୋଟ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି।

Share