Categories: ଜାତୀୟ

‘ମମତା ବାନାର୍ଜୀଙ୍କ ହାତରେ ଲାଗିଛି ରକ୍ତର ଛିଟା’

କୋଲକତା,୧।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ‘ଖେଲା ହବେ’ର ସ୍ଲୋଗାନକୁ ଦୋହରାଇଛନ୍ତି। ଏ ନେଇ ଭାଜପା ତାଙ୍କୁ ଟାର୍ଗେଟ୍‌ କରିଛି। ପଶ୍ଚିମବଙ୍ଗର ଭାଜପା ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଅଗ୍ନିମିତ୍ର ପାଲ କହିଛନ୍ତି ଯେ, ମମତା ବାନାର୍ଜୀ ରକ୍ତର ଖେଳ ଖେଳିଛନ୍ତି। ତାଙ୍କ ହାତରେ ରକ୍ତର ଛିଟା ଲାଗିଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ରେ ମମତା ବାନାର୍ଜୀ ‘ଖେଲା ହବେ’ ସ୍ଲୋଗାନ ଉଠାଇଥିଲେ ଯାହା ଉପରେ ବହୁ ଚର୍ଚ୍ଚା ହୋଇଥିଲା। ଏହି ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଟିଏମସି ବହୁ ସଂଖ୍ୟାରେ ଆସନ ଜିତି ତୃତୀୟ ଥର ପାଇଁ ସରକାର ଗଠନ କରିଛି। ବର୍ତ୍ତମାନ ମମତା ବାନାର୍ଜୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକ ପୂର୍ବରୁ ଏହି ସ୍ଲୋଗାନକୁ ପୁଣି ଥରେ ଦୋହରାଇଛନ୍ତି।
ମମତା ବାନାର୍ଜୀଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଗ୍ନିମିତ୍ର ପାଲ କହିଛନ୍ତି, ଖେଳ ତ ମମତା ବାନାର୍ଜୀ ସହ ହୋଇସାରିଛି। ଗୋଆରେ ଶୂନ, ତ୍ରିପୁରାରେ ଶୂନ, ସେ ଯେଉଁଆଡେ ଯାଇଛନ୍ତି, ସେ ଶୂନ ପାଇଛନ୍ତି। ୨୦୨୪ରେ ତାଙ୍କୁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କ୍ଲିନ୍‌ ବୋଲ୍ଡ କରିଦେବେ।
ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉପରେ ଅଗ୍ନିମିତ୍ର କହିଛନ୍ତି, ସେ ଖେଲା ହବେ କହୁଛନ୍ତି। କିନ୍ତୁ ସେ ପୁର୍ବରୁ ରକ୍ତର ଖେଳ ଖେଳିଛନ୍ତି। ପଶ୍ଚିମବଙ୍ଗରେ ପ୍ରତିଦିନ ହିଂସା ଘଟୁଛି। କେତେ ଲୋକଙ୍କର ଜୀବନ ଯାଉଛି। ସେଥିରେ ସେ ସନ୍ତୁଷ୍ଟ ନାହାନ୍ତି। ଆହୁରି ଖେଳିବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

Share