Categories: ଜାତୀୟ

ନିଯୁକ୍ତି ପରୀକ୍ଷା ଜାଲିଆତି ରୋକିବା ପାଇଁ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୭।୨(ପି.ଟି.): ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌, ଜାଲ୍‌ ଓ୍ବେବ୍‌ସାଇଟ୍‌ ଭଳି ଅସାଧୁ କାର୍ଯ୍ୟ ରୋକିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ମଙ୍ଗଳବାର ଲୋକ ସଭାରେ ଗୃହୀତ ହୋଇଛି। ପରୀକ୍ଷା ପରିଚାଳନାରେ ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଂସ୍ଥା ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ବିଲ୍‌ରେ ରହିଛି। ସରକାରୀ ପରୀକ୍ଷା (ଅସାଧୁ ଉପାୟର ପ୍ରତିକାର) ବିଲ୍‌, ୨୦୨୪ ଉପରେ ଆଲୋଚନାରେ ଭାଗନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ, ମେଧାବୀ ଛାତ୍ରୀଛାତ୍ର ଓ ପ୍ରାର୍ଥୀମାନଙ୍କ ସ୍ବାର୍ଥର ସୁରକ୍ଷା ଉକ୍ତ ବିଲ୍‌ର ଉଦ୍ଦେଶ୍ୟ। ସଂଗଠିତ ଅପରାଧ ପାଇଁ ମେଧାବୀ ପ୍ରାର୍ଥୀ କ୍ଷତିଗ୍ରସ୍ତ ହେବାକୁ ଦିଆଯିବ ନାହିଁ। ଛାତ୍ରୀଛାତ୍ର ଓ ପ୍ରାର୍ଥୀମାନଙ୍କୁ ବିଲ୍‌ ପରିସରରେ ରଖାଯାଇ ନାହିଁ। ତେଣୁ ନିଯୁକ୍ତି ଆଶାୟୀମାନେ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବେନାହିଁ ବୋଲି ଜିତେନ୍ଦ୍ର କହିଥିଲେ। ବିଲ୍‌ ଉପରେ କେତେକ ସଂଶୋଧନ ଆଣିବାକୁ ବିରୋଧୀ ଦଳ ପ୍ରସ୍ତାବ ଦେଇଥିବାବେଳେ ତାହା ଖାରଜ ହୋଇଯାଇଥିଲା। ରାଜସ୍ଥାନରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ସମେତ ଅନେକ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌କୁ ନେଇ ତାହା ବାତିଲ ହୋଇଥିଲା। ଏଭଳି ଏକାଧିକ ପରୀକ୍ଷା ବାତିଲ ଯୋଗୁ ନିଯୁକ୍ତି ଆଶାୟୀମାନେ ନିରାଶ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ପରୀକ୍ଷାରେ ଜାଲିଆତି ରୋକିବା ପାଇଁ କଠୋର ବିଲ୍‌ ଆଣିଛନ୍ତି।

Share