Categories: ଜାତୀୟ

କଶ୍ମୀର, ପଣ୍ଡିଚେରୀରେ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୩ା୧୨(ପି.ଟି.): କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ପଣ୍ଡିଚେରୀରେ ମହିଳାଙ୍କ ପାଇଁ ସଂରକ୍ଷଣ ସୀମା ବଢ଼ାଇବା ନିମନ୍ତେ ଦୁଇଟି ବିଲ୍‌ ମଙ୍ଗଳବାର ଲୋକ ସଭାରେ ଆଗତ ହୋଇଛି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଜମ୍ମୁ-କଶ୍ମୀର ପୁନର୍ଗଠନ (ଦ୍ୱିତୀୟ ସଂଶୋଧନ) ବିଲ୍‌ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍‌ ଉପସ୍ଥାପନ କରିଥିଲେ। ସମ୍ବିଧାନର ୧୦୬ତମ ସଂଶୋଧନ ଆଇନ, ୨୦୨୩ର କାର୍ଯ୍ୟକାରିତା ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ବିଧାନସଭାରେ ସମାନ ସଂରକ୍ଷଣ ସୁବିଧା ଯୋଗାଇଦେବା ଲାଗି ପାର୍ଲାମେଣ୍ଟ ଦ୍ୱାରା ଜମ୍ମୁ-କାମୀର ପୁନର୍ଗଠନ ଆଇନ, ୨୦୧୯ ସଂଶୋଧନ ହେବାର ଆବଶ୍ୟକତା ରହିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ସେହିପରି ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଆଇନ, ୧୯୬୩ର ସଂଶୋଧନ ହେବା ଆବଶ୍ୟକ। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନର ୧୦୬ତମ ସଂଶୋଧନ କରାଯାଇ ମହିଳାମାନଙ୍କ ପାଇଁ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା। ଏହାକୁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।

Share