Categories: ଜାତୀୟ

ଲୋକସଭାରେ ପାସ୍ ହେଲା ତିନି ଆପରାଧିକ ଆଇନ ସଂଶୋଧନ ବିଲ୍

ନୂଆଦିଲ୍ଲୀ,୧୯।୧୨: ଆପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଲୋକସଭାରେ ପାରିତ ହୋଇଛି। ଏହାପୂର୍ବରୁ ବୁଧବାର ଏହି ବିଲ୍ ଉପରେ ଆଲୋଚନା ପରେ ବାଚନିକା ଭୋଟରେ ଏଗୁଡିକ ପାରିତ ହୋଇଛି। ଆତଙ୍କବାଦ, ମହିଳାଙ୍କ ପ୍ରତି ଅପରାଧ, ଦେଶଦ୍ରୋହ ଏବଂ ଭିଡ଼ ହିଂସା ସହ ଜଡିତ ନୂତନ ବ୍ୟବସ୍ଥା ଏହି ନୂତନ ଆଇନରେ ପ୍ରବର୍ତ୍ତିତ ହୋଇଛି। ଏହି ବିଲ୍ ଗୁଡିକ ଏକ ସମୟରେ ପାରିତ ହୋଇଛି ଯେତେବେଳେ ଉଭୟ ଗୃହର ୧୪୩ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି।

ଏହି ତିନିଟି ସଂଶୋଧିତ ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍। ଭାରତର ଇବ୍ରିଟିଶ ଅମଳରୁ ଚାଲି ଆସୁଥିବା ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ।

ଏହି ତିନି ନୂତନ ବିଲ୍ ଅନୁଯାୟୀ ଗଣ ବଳାତ୍କାର ମାମଲାରେ ବର୍ତ୍ତମାନ ଏହି ବିଲରେ ୨୦ ବର୍ଷ ଜେଲ କିମ୍ବା ଆଜୀବନ କାରାଦଣ୍ଡ ପ୍ରାବଧାନରହିଛି । ଏହା ବ୍ୟତୀତ ମିଛ ପ୍ରତିଶୃତି ଦେଇ କିମ୍ବା ପରିଚୟ ଲୁଚାଇ ଯୌନ ସମ୍ପର୍କ ରଖିବା ମଧ୍ୟ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବ। ଏଥିରେ ୧୮ ବର୍ଷରୁ କମ୍ ଝିଅକୁ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି।

ଏହା ବ୍ୟତୀତ ଯୌନ ହିଂସା ମାମଲାରେ କେବଳ ମହିଳା ନ୍ୟାୟିକ ମାଜିଷ୍ଟ୍ରେଟ ଏହି ବିବୃତ୍ତି ରେକର୍ଡ କରିବେ। ପୀଡିତାଙ୍କ ବିବୃତ୍ତି ତାଙ୍କ ବାସଭବନରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସାମ୍ନାରେ ରେକର୍ଡ ହେବ। ବିବୃତ୍ତି ରେକର୍ଡ କରିବା ସମୟରେ ପୀଡିତାଙ୍କ ମା / ପିତା କିମ୍ବା ଅଭିଭାବକ ଉପସ୍ଥିତ ରହିପାରିବେ।

Share