Categories: ଜାତୀୟ

ସଂସଦ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଅଭିଯୋଗରେ ୧୪ ଏମ୍‌ପି ପୂରା ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ବିରୋଧୀ ଦଳ ଗୁରୁବାର ଲୋକ ସଭା ଓ ରାଜ୍ୟ ସଭାରେ ଏକ ଅଡୁଆ ସୃଷ୍ଟି କରିଛନ୍ତି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଛନ୍ତି। ଏହି ସମୟରେ ଲୋକ ସଭା ବାଚସ୍ପତି ହଟ୍ଟଗୋଳ ସୃଷ୍ଟି ଅଭିଯୋଗରେ ଲୋକ ସଭାର ୧୩ ଓ ରାଜ୍ୟ ସଭାର ଜଣେ ସଦସ୍ୟଙ୍କୁ ନିଲମ୍ବନ କରିଛନ୍ତି। ଗୁରୁବାର ଲୋକ ସଭାରୁ ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ କଂଗ୍ରେସର ୯, ମାର୍କ୍ସବାଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌)ର ୨, ଦ୍ରାବିଡ ମୁନେତ୍ରା କାଝାଗାମ (ଡିଏମ୍‌କେ)ର ଜଣେ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଜଣେ ରହିଛନ୍ତି। ସେହିପରି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟ ସଭା ସଦସ୍ୟ ଡେରେକ୍‌ ଓବ୍ରାଏନ୍‌ଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୪ ଏମ୍‌ପିଙ୍କ ବିରୋଧରେ ଏହି ନିଲମ୍ବନ ଚଳିତ ଅଧିବେଶନ ଶେଷ ହେବା ଅର୍ଥାତ୍‌ ଡିସେମ୍ବର ୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଶ୍ନ ଉଠାଇବାରୁ ନିଆଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳଗୁଡ଼ିକ ‘ଗଣତନ୍ତ୍ରର ହତ୍ୟା’ ଭାବେ ଅଭିହିତ କରିବା ସହ ଏହାର ଦୃଢ଼ ନିନ୍ଦା କରିଛନ୍ତି।

Share