Categories: ଜାତୀୟ

କିଛି ଘଣ୍ଟା ମଧ୍ୟରେ ଡିଏମକେ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର, କଂଗ୍ରେସ କହିଲା ସମ୍ପୂର୍ଣ୍ଣ ଅଜବ…

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ବିରୋଧୀମାନେ ବିରୋଧ କରୁଛନ୍ତି। ଏଥି ସହିତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ବିରୋଧୀ ଏହା ଉପରେ ରାଜନୀତି କରିବା ଉଚିତ୍‌ ନୁହେଁ। ତେବେ ଗୃହକାର୍ଯ୍ୟ ଚଳାଇବାରେ ବାଧା ଦେବା ଅଭିଯୋଗରେ ଲୋକ ସଭାର ୧୩ ଓ ରାଜ୍ୟ ସଭାର ଜଣେ ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି।

ଏହାପୂର୍ବରୁ ଏହି ତାଲିକାରେ ୧୪ ଜଣ ଲୋକ ସଭା ଏମ୍‌ପିଙ୍କ ନାମ ଥିଲା। ପରେ ଡିଏମକେର ଏକ ଏମ୍‌ପି ଏସ ଆର ପାର୍ଥିବନଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିନିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି , ଆଜି ନିଲମ୍ବିତ ଲୋକ ସଭା ସଦସ୍ୟଙ୍କ ତାଲିକାରୁ ପାର୍ଥିବନଙ୍କ ନାମ ପ୍ରତ୍ୟାହାର କରାଯାଇଛି। ସଦସ୍ୟଙ୍କୁ ଚିହ୍ନିବାରେ କର୍ମଚାରୀଙ୍କ ତରଫରୁ ଏକ ଭୁଲ ଥିଲା। ଯୋଶୀ କହିଛନ୍ତି, ପରିଚୟରେ ତ୍ରୁଟି ଥିବା ହେତୁ ସଦସ୍ୟଙ୍କ ନାମ ପ୍ରତ୍ୟାହାର କରିବାକୁ ମୁଁ ଲୋକ ସଭା ବାଚସ୍ପତିଙ୍କୁ ଅନୁରୋଧ କରିଛି। ଲୋକ ସଭା ବାଚସ୍ପତି ଏହି ପରାମର୍ଶ ସ୍ବୀକାର କରିଛନ୍ତି।

ଏହି ନିଷ୍ପତ୍ତିରେ ବିରୋଧୀ ଦଳ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ରାଜ୍ୟ ସଭା ଏମ୍‌ପି ଜୟରାମ ରମେଶ କହିଛନ୍ତି , ଗତକାଲି ଲୋକ ସଭାରେ ଯାହା ଘଟିଥିଲା ତାହା ଅତ୍ୟନ୍ତ ଚିନ୍ତାଜନକ। ଆଜି ଲୋକ ସଭାରେ ଯାହା ଘଟିଛି ତାହା ସମ୍ପୂର୍ଣ୍ଣ ଅଜବ ଅଟେ। ତାମିଲନାଡୁର ଜଣେ ଏମ୍‌ପି ଯିଏ ଗୃହରେ ଉପସ୍ଥିତ ନ ଥିଲେ ଏବଂ ସେ କିଛି ଦିନ ହେବ ନୂଆଦିଲ୍ଲୀ ବାହାରେ ଥିଲେ, ତାଙ୍କୁ ମଧ୍ୟ ଗୃହକାର୍ଯ୍ୟ ବାଧାପ୍ରାପ୍ତ ପାଇଁ ନିଲମ୍ବିତ କରାଯାଇଛି। ସେପଟେ ଯେଉଁ ଭାଜପା ଏମ୍‌ପି ସାହାଯ୍ୟରେ ଅଭିଯୁକ୍ତ ଗୃହରେ ପ୍ରବେଶ କରିଥିଲେ। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

 

Share