୪ ଅଫିସରଙ୍କୁ ଲୋକାୟୁକ୍ତ ନୋଟିସ

ଭୁବନେଶ୍ୱର, ୨ା୩(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗ୍ରାନାଇଟ ପଥର ଖନନ ଓ ଚୋରାଚାଲାଣ କରିବା ମାମଲାରେ ୪ଜଣ ଅଫିସରଙ୍କୁ ଲୋକାୟୁକ୍ତ ନୋଟିସ ଜାରି କରିଛନ୍ତି। ଯାଜପୁର ପୂର୍ବତନ ଜିଲାପାଳ ତଥା ବର୍ତ୍ତମାନର ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ବର୍ତ୍ତମାନର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଧର୍ମଶାଳାର ପୂର୍ବତନ ତହସିଲଦାର ସରୋଜ କୁମାର ପଣ୍ଡା, ବର୍ତ୍ତମାନର ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ୬ ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ସର୍ବେଶ୍ୱର ବେହେରାଙ୍କ ଅଭିଯୋଗ ଆଧାରରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂ ଏହି ଅଭିଯୋଗକୁ ଗ୍ରହଣକରି ୪ ଅଫିସରଙ୍କୁ ନୋଟିସ କରିଛନ୍ତି। ୨୦୧୯ ଜୁଲାଇ ୧୨ ତାରିଖରେ ରାଜ୍ୟ ମୁଖ୍ୟ ସଚିବ, କେନ୍ଦ୍ରାଞ୍ଚଳ ଆର୍‌ଡିସି, ଯାଜପୁର ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ, ଏସ୍‌ପି ଓ ଧର୍ମଶାଳା ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇ ତୁରନ୍ତ ପଦକ୍ଷେପ ନେଇ ସଂରକ୍ଷିତ ଜଙ୍ଗଲ ଓ ପାହାଡକୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ୨୦୧୯ ଜୁଲାଇ ୭ ତାରିଖ ଓ ସେହିବର୍ଷ ମାର୍ଚ୍ଚ ୨୮ରେ ୨ ଥର ଧର୍ମଶାଳା ତହସିଲଦାର ଏହି ବେଆଇନ ଗ୍ରାନାଇଟ ଖନନ ସମ୍ପର୍କରେ କଟକ ଜଙ୍ଗଲ ଡିଭିଜନର ଡିଏଫ୍‌ଓଙ୍କୁ ଲିଖିତ ଭାବେ ଅବଗତ କରି ପଥର ମାଫିଆଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କଟକ ଡିଏଫ୍‌ଓ ୨୦୧୯ ପେବୃୟାରୀ ୮ରେ ଯାଜପୁର ଜିଲାପାଳଙ୍କୁ ଚିଠି ଲେଖି ଖନନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ କ୍ରଶର ୟୁନିଟ ଏନ୍‌ଓସିକୁ ବାତିଲ କରିବାକୁ ଅନୁରୋଧ କରିଥିଲେ। ଲୋକାୟୁକ୍ତରେ ହୋଇଥିବା ଏହି ଅଭିଯୋଗ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ରେ ହେବ ବୋଲି ଅଧ୍ୟକ୍ଷ ଅଜିତ ସିଂ ସମୟ ଧାର୍ଯ୍ୟ କରିଛନ୍ତି।

Share