କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପିପିଇ କିଟ୍‌ ଓ ମାସ୍କ ଦୁର୍ନୀତି ଅଭିଯୋଗ ମାମଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିନାହାନ୍ତି। ତେଣୁ ଏହାକୁ ନେଇ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାର ଚୁଡାନ୍ତ ଶୁଣାଣି ଆସନ୍ତା ୭ ତାରିଖରେ କରାଯିବ ବୋଲି ଜଣାପଡିଛି। ଏନେଇ ଆବେଦନକାରୀ ସୁଦର୍ଶନ ଦାସ ଏବଂ ତାଙ୍କ ଓକିଲ ସୁଶାନ୍ତ ପାଢୀ ସୂଚନା ଦେଇଛନ୍ତି।
ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସରକାରଙ୍କ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଚିଠି ମାଧ୍ୟମରେ ଉତ୍ତର ରଖିଛନ୍ତି। କୋଭିଡ ସମୟରେ କେଉଁ ଅଧିକାରୀ କଣ ସବୁ ଦାୟିତ୍ୱରେ ରହିଥିଲେ ସେନେଇ ଚିଠିରେ ଦର୍ଶାଇଛନ୍ତି। ହେମନ୍ତ ଶର୍ମାଙ୍କୁ କେଉଁ କାରଣରୁ ନିଜ ଦାୟିତ୍ୱରୁ ଅବ୍ୟାହତି ଦିଆଗଲା ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ତାଙ୍କ ଦାୟିତ୍ୱ ଭାର ଅଧିକ ହୋଇଯାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଫଳରେ ଲୋକାୟୁକ୍ତ ଅଧିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ସୋମବାର ପୁନର୍ବାର ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଜାମିନୀ ଷଡଙ୍ଗୀ ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ହାଜର ହୋଇଛନ୍ତି। ସମସ୍ତ ପକ୍ଷକୁ ଡିସେମ୍ବର ୭ରେ ପ୍ରସ୍ତୁତ ହୋଇ ଆସିବା ଲାଗି କୁହାଯାଇଥିବା ବେଳେ ସେଦିନ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।

Share