ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ତଲବ

ଯାଜପୁର ଅଫିସ,୧ା୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ ଧର୍ମଶାଳା ତହସିଲଦାର ସହଯୋଗୀ ହୋଇଛନ୍ତି। ଏଭଳି ଅଭିଯୋଗ କ୍ରମେ ଓଡ଼ିଶା ଲୋକାୟୁକ୍ତରେ ୧୩୫୫/୨୦୨୦ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ୍‌ ସିଂ ଗତ ୧୯ ତାରିଖରେ ଯାଜପୁର ଜିଲାପାଳ, ଧର୍ମଶାଳା ତହସିଲଦାର ଓ ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ବେଆଇନ କଳାପଥର ଉତ୍ତୋଳନ ନେଇ ଲିଜ୍‌ଧାରୀଙ୍କୁ ୫୮.୬୨ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଥିଲା। ଏହାବାଦ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ୨୫ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଆରୁହା ପାହାଡ଼ରେ ମାପଚୁପ କରାଗଲେ ବେଆଇନ ଉତ୍ତୋଳନ ଉପରୋକ୍ତ ପରିମାଣଠାରୁ ବହୁ ଅଧିକ ହେବ ବୋଲି ଅଭିଯୋଗକାରୀ ସର୍ବେଶ୍ୱର ବେହୁରା ପ୍ରକାଶ କରିଛନ୍ତି।
ଲୋକାୟୁକ୍ତରେ ହୋଇଥିବା ଅଭିଯୋଗ ଅନୁସାରେ ୧ା୯ା୨୦୧୭ରେ ଆରୁହା କଳାପଥର ଖାଦାନ-୧ ଲିଜ୍‌ ପାଇଁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଏମ୍‌ଏମ୍‌ସି ନିୟମ-୨୦୧୬ ଅନୁସାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତ୍ରିନାଥ ଜେନାଙ୍କୁ ୫ ବର୍ଷିଆ(୨୦୧୭-୧୮ରୁ ୨୦୨୧-୨୨) ପର୍ଯ୍ୟନ୍ତ ଲିଜ ପ୍ରଦାନ କରାଯାଇଥିଲା। ଜମି ରେକର୍ଡ ଅନୁସାରେ ଆରୁହା ପାହାଡ଼ରେ ୧୫୩.୬୩୦ ଏକର କଳାପଥର ଖାଦାନ ରହିଛି। ସେଥିରୁ ମାତ୍ର ୩ ଏକର ଖାଦାନ ଲିଜ୍‌ ଦିଆଯାଇଥିବାବେଳେ ଧର୍ମଶାଳା ତହସିଲଦାର ଓ ସ୍ଥାନୀୟ ପୋଲିସର ସହଯୋଗରେ ପ୍ରାୟ ୧୦୦ ଏକର ପର୍ଯ୍ୟନ୍ତ କଳାପଥର ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ଏହି ଖବର ଧର୍ମଶାଳା ତହସିଦାରଙ୍କ ବ୍ୟତୀତ ଜିଲାପାଳଙ୍କୁ ମଧ୍ୟ ଜଣା ଅଛି। ତେଣୁ ଏହାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ରାଜସ୍ବ କ୍ଷତିର ଭରଣା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ ବେହୁରା ୧୦ା୧୨ା୨୦୨୦ରେ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଲୋକାୟୁକ୍ତ ଜବାବତଲବ କରିଛନ୍ତି। କିନ୍ତୁ ଲିଜ୍‌ଧାରୀ ତ୍ରିନାଥ ଜେନା କୁହନ୍ତି, ଏଯାଏ ତାଙ୍କୁ କୌଣସି ନୋଟିସ ମିଳିନାହିଁ। ଅଭିଯୋଗ ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ସେ ଯେକୌଣସି ତଦନ୍ତ ଓ ମାପଚୁପ ପାଇଁ ପ୍ରସ୍ତୁତ ଅଛନ୍ତି। ସେ ୩ ଏକର ଲିଜ୍‌ ପାଇଥିଲେ ହେଁ ଅନ୍ୟମାନେ ବେଆଇନ ଭାବେ ପାର୍ଶ୍ୱ ଅଞ୍ଚଳରୁ କଳାପଥର ଉତ୍ତୋଳନ କରୁଛନ୍ତି। ଏନେଇ ସେ ତହସିଲଦାରଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ତହସିଲଦାର ନିକଟରେ ପୋଲିସ ସହାୟତାରେ ଏକାଧିକ ବେଆଇନ କଳାପଥର ଖାଦାନରେ ଚଢାଉ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପତ୍ର ସେ ମଧ୍ୟ ପାଇନାହାନ୍ତି। ନିର୍ଦ୍ଦେଶ ପତ୍ର ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share