ଦାଦାବଟି ମାଗି ଗିରଫ ହେଲେ ଲୋକନାଥ

ସମ୍ବଲପୁର,୨୭ା୭ (ଶୁଭାଶିଷ ପାଢୀ): ଦାବାବଟି ମାଗିବା ଅଭିଯୋଗରେ ଧନୁପାଲି ଥାନା ଧନୁପାଲି ଛକର ଲୋକନାଥ ମହାନ୍ତିଙ୍କୁ ପୋଲିସ ପୁଣି ଥରେ ଗିରଫ କରିଛି। ଦୁଇଜଣଙ୍କ ଅଭିଯୋଗ କ୍ରମେ ପ୍ରାୟ ଦୁଇଦିନ ହେବ ପୋଲିସ ତାଙ୍କ ପିଛା କରୁଥିବା ବେଳେ ବୁଧବାର ସନ୍ଧ୍ୟାରେ ସମ୍ବଲପୁର ବିଦ୍ୟୁତ୍‌ ବିଭାଗର ଏସ୍‌ଡିଓ ଅଫିସ ନିକଟରୁ ପୋଲିସ ତାଙ୍କୁ କାବୁ କରିଥିଲା। ତାଙ୍କଠାରୁ ପୋଲିସ ପୋଷ୍ଟାଲ ଅଧିକାରୀ, ଆୟକର ବିଭାଗ ଅତିରିକ୍ତ କମିଶନର, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଥିବା ପରିଚୟ ପତ୍ର ଜବତ କରିଛି। ଚଢାଉରେ ହୀରାକୁଦ ଏସ୍‌ଡିପିଓ ସତ୍ୟବ୍ରତ ଦାସ ଓ ଏକ ଟିମ୍‌ ସାମିଲ ଥିଲେ। ଏସ୍‌ଡିପିଓ ଦାସ କହିଛନ୍ତି, ଲୋକନାଥ ଦୁଇଦିନ ହେବ ହୀରାକୁଦ ଓ ବୁର୍ଲା ଥାନା ଅଞ୍ଚଳର ଦୁଇଜଣ ଠିକାଦାରଙ୍କଠାରୁ ଟଙ୍କା ଦାବି କରିଥିଲେ। ସେମାନେ ଅଭିଯୋଗ କରିବା ପରେ ପୋଲିସ ଟିମ୍‌ ଗଠନ କରାଯାଇ ଗିରଫ କରାଯାଇଛି ା ଗିରଫ ପରେ ଜଣାପଡିଛି ଯେ, ଲୋକନାଥଙ୍କ ନାମରେ ପୂର୍ବରୁ ୭ରୁ ଅଧିକ ମାମଲା ରହିଛି। ସେ ଜଣେ ପେସାଦାର ଅପରାଧୀ। ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମରେ ମର୍ଫ କରି ବିିଭିନ୍ନ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ସହ ଫଟୋ ଉଠାଇ ପୋଷ୍ଟ କରୁଥିଲେ। ଯୁବବର୍ଗଙ୍କୁ ଚାକିରି କରାଇଦେବାକୁ କହି ଟଙ୍କା ନେଉଥିଲେ। ପ୍ରାୟ ୧୦ବର୍ଷ ହେବ ସେ ଲୋକଙ୍କୁ ଠକୁଥିଲେ। ଟଙ୍କା ନେବା ପରେ ସେ ପୁଣି ଅନ୍ୟ ଲୋକଙ୍କୁ ମୋହରା କରୁଥିଲେ। ସହଯୋଗ କରି ଅଭିଯୋଗ କରନ୍ତୁ, ପୋଲିସ ନିଶ୍ଚିତ ଭାବେ ସହଯୋଗ କରିବ ବୋଲି ଏସ୍‌ଡିପିଓ ଦାସ କହିଛନ୍ତି।

Share