ହାଇଦ୍ରାବାଦ, ୧୯।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ରାଜ୍ୟର ୧୭ଟି ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି। ତେଲଙ୍ଗାନା କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (ପିଏସି) ମଧ୍ୟ ଏହାର ବୈଠକରେ ଏହି ସମ୍ପର୍କରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରିଛି।
ନିକଟରେ ଅନୁଷ୍ଠିତ ପିଏସି ବୈଠକରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ଥ ରେଡ୍ଡୀ ଏବଂ କଂଗ୍ରେସର ତେଲଙ୍ଗାନା ବ୍ୟାପାର ଦାୟିତ୍ୱରେ ଥିବା ମାଣିକ ରାଓ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ତିନୋଟି ପ୍ରସ୍ତାବ ପାରିତ ହେବା ବ୍ୟତୀତ ଲୋକ ସଭା ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ପିଏସି ବୈଠକ ପରେ ତେଲଙ୍ଗାନାରେ ଦଳର ପିଏସି ସଂଯୋଜକ ସହବୀର ଅଲି କହିଛନ୍ତି, ଆମେ ସୋନିଆ ଗାନ୍ଧୀଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ତେଲଙ୍ଗାନାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ କରୁଛୁ। ଆମେ ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟ ଏଆଇସିସି ନେତୃତ୍ୱଙ୍କୁ ଏକ ପ୍ରସ୍ତାବ ପଠାଇଛୁ।