Categories: ଜାତୀୟ

ମୌସୁମୀ ଅଧିବେଶନ ପୂର୍ବରୁ ୫ ଏମ୍‌ପିଙ୍କୁ କରୋନା

ନୂଆଦିଲ୍ଲୀ,୧୩।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ ଲୋକ ସଭାର ୫ ଜଣ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛି। ବର୍ତ୍ତମାନ ଅଧିକ ସାଂସଦଙ୍କ କରୋନା ପରୀକ୍ଷା ଚାଲିଛି। କରୋନା ସଙ୍କଟ ଯୋଗୁ ଏଥରର ସଂସଦ ଅଧିବେଶନରେ କିଛି ପରିବର୍ତ୍ତନ କରାଯାଇଛି। ସଂସଦ ଅଧିବେଶନରେ କରୋନା ଗାଇଡଲାଇନ ସମ୍ପୂର୍ଣ୍ଣ ପାଳନ କରାଯିବ। ଲୋକ ସଭା ପ୍ରତିଦିନ ୪ ଘଣ୍ଟା ବସିବ। ଏହି ପରିପ୍ରେକ୍ଷୀରେ, ଶୂନ କାଳର ଅବଧି ମଧ୍ୟ ଅଧ ଘଣ୍ଟାକୁ ହ୍ରାସ କରାଯାଇଛି। ପ୍ରଶ୍ନଗୁଡ଼ିକର ଲିଖିତ ଆକାରରେ ମଧ୍ୟ ଉତ୍ତର ଦିଆଯିବ। ସଂସଦ ଅଧିବେଶନ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଏହି ସଙ୍କଟ ସମୟରେ ସମସ୍ତେ ଏକ ହୋଇ କାମ କରିବା ଆବଶ୍ୟକ। ସାମ୍ବିଧାନିକ ଦାୟିତ୍ୱ ଗୁଡିକ ପୂରଣ କରିବାର ଏବେ ସମୟ। ସମସ୍ତ ସଦସ୍ୟଙ୍କୁ ଅଧିବେଶନ ପୂର୍ବରୁ ସେମାନଙ୍କର କରୋନା ଟେଷ୍ଟ କରିବାକୁ ପଡିବ। ଏମ୍‌ପିମାନେ ସେମାନଙ୍କର ଉପସ୍ଥିତିକୁ ଡିଜିଟାଲ ରେଜିଷ୍ଟ୍ରେସନ ମାଧ୍ୟମରେ କରିପାରିବେ। ଏଥର ସଂସଦ ଗୃହରେ ସମ୍ପୂର୍ଣ୍ଣ ଡିଜିଟାଲ ଚିଠି ରହିବ। ସଂକ୍ରମଣକୁ ରୋକିବା ପାଇଁ ନିରନ୍ତର ସାନିଟାଇଜ୍‌ ବ୍ୟବସ୍ଥା କରାଯିବ।

ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ରେ ଶେଷ ହେବ। କରୋନା ସଙ୍କଟ ମଧ୍ୟରେ ହେବାକୁ ଥିବା ଏହି ଅଧିବେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଏମ୍‌ପିମାନଙ୍କୁ ଲୋକ ସଭା ଓ ରାଜ୍ୟ ସଭାରେ ସାମାଜିକ ଦୂରତା ବଜାୟ ରଖିବେ। ଏଥିପାଇଁ ଦୁଇଟି ଚାମ୍ବର ଏବଂ ଏକ ଗ୍ୟାଲେରୀ ବ୍ୟବହାର କରାଯିବ।

Share