ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାରେ ରହିଛନ୍ତି ରାୟଗଡ଼ାର ସମୟ। ଏବେ ସେ ପରିବାର ସହ ଆମେରିକାରେ ରହୁଛନ୍ତି। ମାତ୍ର ୨୧ ବର୍ଷରେ ଆମେରିକା ଭଳି ପ୍ରଭାବଶାଳୀ ରାଷ୍ଟ୍ରର ସକ୍ରିୟ ରାଜନୀତିରେ ତାଙ୍କର ଏଭଳି ଭୂମିକା ଏବେ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଡେମୋକ୍ରାଟମାନଙ୍କ ପାଇଁ ଭାଷଣ କିମ୍ବା ରାଲିରେ ସମ୍ବୋଧନ ଦେଇ ବେଶ ଚର୍ଚ୍ଚାରେ ରହିଛନ୍ତି ସମୟ।
ପିଲା ଦିନରୁ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ରାଜନୀତି ହିଁ ତାଙ୍କର ପସନ୍ଦ। ଏହାକୁ ସେ ଛାଡ଼ିପାରିବେ ନାହିଁ ବୋଲି ତାଙ୍କ ବାପା ମାନସ ସାହୁ କହିଛନ୍ତି। ମାନସ ମୟୂରଭଞ୍ଜ ଜିଲାର ମୂଳ ବାସିନ୍ଦା। ତାଙ୍କର ଅଧିକାଂଶ ସମୟ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ବିତିଛି। ତାଙ୍କ ବାପା ଏଠାରେ ଚାକିରି କରିଥିବା ଯୋଗୁ ରାୟଗଡ଼ା ସହ ତାଙ୍କର ପରିଚୟ ବହୁ ପୁରୁଣା। ହେଲେ ମାନସ ଚାକିରି ପାଇବା ପରେ ଆମେରିକା ଚାଲି ଯାଇଥିଲେ। ପରିବାର ସହ ସେ ଆମେରିକାର ନ୍ୟୁ ହମ୍‌ଶାୟାରସ୍ଥିତ ନାସୁଆ ସହରରେ ରହୁଛନ୍ତି। ୨୦୦୮ରେ ବାରାକ୍‌ ଓବାମାଙ୍କ ରାଷ୍ଟ୍ରପତି ନିର୍ବାଚନ ଚାଲିଥିବାବେଳେ ସମୟ ଡେମୋକାଟ୍ରିକ୍‌ ପାର୍ଟି ବିଷୟରେ ଜାଣିବା ପାଇଁ ଆଗ୍ରହ ଦେଖାଇ ପରେ ଛାତ୍ର ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସମୟ ଗତବର୍ଷ କଲେଜ ଜୀବନ ଆରମ୍ଭ କରିଛନ୍ତି। ୨୦୨୨-୨୩ରେ ସେ ଡେମୋକାଟ୍ରିକ୍‌ ପାର୍ଟିର ଏକ ଗୁରୁଦାୟିତ୍ୱ ତୁଲାଇଥିଲେ। ହାଇସ୍କୁଲ ଡେମୋକ୍ରାଟ ଅଫ୍‌ ଆମେରିକାର ସେ ନ୍ୟାଶନାଲ ଚେୟାରମ୍ୟାନ ଭାବେ ମନୋନୀତ ହୋଇଥିଲେ। ପରେ ସମୟ ଡେମୋକ୍ରାଟିକ୍‌ ଦଳର ସର୍ବକନିଷ୍ଠ ସଦସ୍ୟ ଭାବେ ଏଭଳି ଗୁରୁଦାୟିତ୍ୱ ପାଇଥିଲେ। ଆଗାମୀ ନଭେମ୍ବର ୫ରେ ହେବାକୁ ଥିବା ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ସମୟଙ୍କ ରାଜନୈତିକ କ୍ୟାରିୟରକୁ ସହ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି।