ନିଃସଙ୍ଗ ପୃଥିବୀ

ଦ୍ୱିତୀ ଚନ୍ଦ୍ର ସାହୁ

ଫୋନ୍ ରିଂରୁ ଜାଣିହେଲା କିଏ ଫୋନ୍‌ କରିଛି। ବ୍ୟସ୍ତତା ଭିତରେ ସ୍କ୍ରିନ୍‌ରେ କଲ୍‌କୁ ନ ପରଖି ଉଠାଇଲି କଲ୍‌। ସେପଟୁ ବନ୍ଧୁ ଶିବାଶିଷ। ପଶ୍ଚିମ ଓଡ଼ିଶାରେ ଶିକ୍ଷକତା କରନ୍ତି। ସୁନ୍ଦର ଗପ ଲେଖନ୍ତି। ଚିନ୍ତାଶୀଳ ବ୍ୟକ୍ତିତ୍ୱ। ସମଚିନ୍ତାଧାରା ବ୍ୟକ୍ତିତ୍ୱ ହେତୁ ସେଥିଲାଗି ବନ୍ଧୁତା ଜମି ଆସିଛି। ଫୋନ୍‌ ଉଠାଉ ଉଠାଉ କହିଲେ- ‘ଭାଇ ! ଭାରି ଖରାପ ଲାଗୁଛି ହୋ!
ଇଟା ଗୁଟେ କଥା କି ହୋ! କାମ କରିବା ଲୁକ ଏତେ ଦୂରେ ଯିବେ। ଆରି ବାକି ବେଟା ସବୁ ପାଖରେ ରହଁବେ !
ଦୁନିଆରେ କିଛି ନାହିଁ ହୋ। ସ୍ନେହ, ପ୍ରେମ, ସମ୍ପର୍କ କିଛି ନାହିଁ। ତୁଚ୍ଛା ଅଭିନୟ। ଭାରି ଏକଲା ଏକଲା ଲାଗୁଛି ହୋ! ‘ବୁଝିଗଲି ବନ୍ଧୁଙ୍କ ମାନସିକ ସ୍ଥିତି। ପ୍ରତି ମଣିଷଙ୍କ କ୍ଷେତ୍ରରେ ଏମିତି ସ୍ଥିତି ଉପୁଜେ। ସମସ୍ତେ ଥାଇ ବି ଭାରି ଏକଲା ଏକଲା ଲାଗେ। ଲାଗେ ଯେମିତି ପୃଥିବୀଟା ଫମ୍ପା। ସମସ୍ତଙ୍କ ଚେହେରା ଅଲଗା ଲାଗେ। ମଣିଷଙ୍କ ଆଚରଣ ଖୁବ୍‌ ପୀଡ଼ାଦାୟକ ମନେହୁଏ। ମଣିଷ ଚେହେରା ଭିତରେ ଆଉ ଏକ ଚେହେରା ଲୁଚିରହିଛି। ସମସ୍ତେ ମୁଖା ପିନ୍ଧିଛନ୍ତି। ଆଉ ସେଇ ମୁଖାପିନ୍ଧା ମଣିଷମାନେ କେବଳ ଛଳନା କରି ଚାଲିଛନ୍ତି। ବିପଦରେ କିମ୍ବା ସମସ୍ୟାରେ ଛନ୍ଦିହେଲେ ମଣିଷ ନିଜକୁ ଅସହାୟ ମନେ କରନ୍ତି। ହେବା ସ୍ବାଭାବିକ କଥା। ଅନେକ ସମୟରେ ମଣିଷ ନିଜ କର୍ମକୁ ନିଷ୍ଠାପର ଭାବେ ତୁଲେଇ ଚାଲିଲେ ଚାରିପାଖର ମଣିଷମାନଙ୍କ ପାଇଁ ସେସବୁ ଅସହିଷ୍ଣୁ ଲାଗେ। କାଦୁଅ ଭିତରେ ଲଟପଟ ଚରିତ୍ରମାନେ ଭଲ ଲୋକଙ୍କୁ ଦେଖି ସହି ପାରନ୍ତିନି। ଅନ୍ୟଙ୍କୁ ଟାଣି ଘୋଷାରି ନିଜ ବିରାଦରିରେ ମିଶେଇବାକୁ ପ୍ରାଣପଣେ ଚେଷ୍ଟା କରନ୍ତି। ସେଥିରେ ବିଫଳ ହେଲେ ସମଧର୍ମା କିଛି ମିଶି ତେଣିକି ଭଲ ଲୋକ ବିରୋଧରେ ଚର୍ଚ୍ଚା ଆରମ୍ଭ କରନ୍ତି। ଦେଖାଇ ହେଉଥିବାର ଅଭିନୟ କରୁଛି ବୋଲି ଆଗପଛରେ ଆଲୋଚନା କରନ୍ତି। ଯଦିଓ ସେଇ ଭଲ ମଣିଷ ସମ୍ମୁଖରେ କହିବାର ସାହସ ନ ଥାଏ ତଥାପି ପଛରେ କୁତ୍ସାରଟନା ଶୁଣି ଭଲ ମଣିଷମାନେ ନିଜକୁ ଅସହାୟ ମନେ କରନ୍ତି।
ବେଳେବେଳେ କିଛି ମଣିଷ ଆଗପଛ ଚିନ୍ତା ନ କରି ଯେନତେନ ଉପାୟରେ ଆଗକୁ ଟପିଯିବାର ଉଦ୍ୟମ କରନ୍ତି। ଏଇ ମଣିଷମାନେ ଅବଶ୍ୟ ଆଗକୁ ଚାଲିଯାଆନ୍ତି। ସଫଳତା, କ୍ଷମତା ଓ ଅର୍ଥ ସବୁଥିରେ ନିଜକୁ ସଂଗଠିତ କରିପାରନ୍ତି। କିନ୍ତୁ ଏତେ ଆଗକୁ ଚାଲି ଯାଆନ୍ତି ଯେ ପଛରେ ମଣିଷ କିଏ ଆଉ ତାଙ୍କ ସହ ନ ଥାଏ। ସାଥୀ ହୋଇ ଚାଲୁଥିବା ମଣିଷମାନେ ବି ପାଖରେ ରହିବାକୁ ଆଗ୍ରହ ପ୍ରକଟ କରନ୍ତିନି। ଗୋଟେ ସମୟ ଆସେ ନିଜକୁ ସଫଳ ଭାବୁଥିବା ମଣିଷ ନିଜକୁ ଅସହାୟ ମନେ କରେ। ଭାରି ଏକଲା ଏକଲା ନିିଜକୁ ମଣେ। ଏଇଧରଣର ମଣିଷ ପ୍ରତି ଅନ୍ୟ ମଣିଷଙ୍କ ସାମାନ୍ୟତମ ପ୍ରତିବେଦନ କାହାର ନ ଥାଏ। ଆଉ କିଛି ମଣିଷ ନିଜର ନିଷ୍ଠା, ସାଧୁତା ଓ ଦକ୍ଷତା ବଳରେ ଅନ୍ୟଠାରୁ ସଦାକାଳେ ସ୍ବତନ୍ତ୍ର ବାରିହୋଇ ପଡ଼ନ୍ତି। ଏମିତି ନିଆରା ମଣିଷମାନଙ୍କ ଖୋଜାଲୋଡ଼ା ପଡ଼େ ଅନେକ ସମୟରେ। ଖ୍ୟାତି, ଯଶ, ସମ୍ମାନ ଓ ଆଦର ବୋଝେଇ ହୋଇପଡ଼େ। କିନ୍ତୁ ନିଜର କର୍ମକୁ ନେଇ ତିଆରି କରିଥିବା ନିଜସ୍ବ ପରିଚୟ ପଦବୀ ଓ ସ୍ତରଠାରୁ ସେଇ ମଣିିଷକୁ ଢେର ଊର୍ଦ୍ଧ୍ୱରେ ରଖେ। ବହୁ କ୍ଷମତାଶାଳୀ ଓ ଉଚ୍ଚପଦାସୀନ ମଣିଷମାନେ ଏଇଭଳି ମଣିଷଙ୍କୁ ଖୋଜାଲୋଡ଼ା କରନ୍ତି। ଆଉ ଏସବୁ ହିଁ ଅକାରଣେ ଅନ୍ୟ ମଣିଷଙ୍କ ଈର୍ଷାର କାରଣ ପାଲଟିଯାଏ। ମାଛ କୋଉଥିରେ ନ ଥାଇ ଜଗତ ସାରା ବଇରୀ ଭଳି କାହାର କିଛି କ୍ଷତି ନ କରି ବି ଚାରିପାଖର ମଣିଷମାନେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ନିଜ ଭିତରର ଅସହାୟତା, ବ୍ୟର୍ଥତା ଓ ନିପାରିବାପଣ ଯୋଗୁ ସମଧର୍ମା ଓ ଚାରିପାଖର ମଣିଷମାନେ କାକୁସ୍ଥ ହୋଇ ଭଲ ମଣିଷଠାରୁ ନିଜକୁ ଦୂରେଇ ରଖନ୍ତି। ଅସାମାନ୍ୟ ବ୍ୟବହାର ପ୍ରଦର୍ଶନ କରନ୍ତି। ଆଉ ଖରାପ ମଣିଷମାନେ ତ ନିଜ ଭିିତରେ ଜଳି ଯାଆନ୍ତି। ସମସ୍ତେ ନିଜ ନିଜ ସ୍ତରରେ ସେଇ ଲୋକଟିକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରନ୍ତି। ବହୁତ ସମୟରେ ବିଫଳ ହୁଅନ୍ତି। ଆହୁରି ଈର୍ଷା, ଦ୍ୱେଷ ଓ କ୍ରୋଧ ବୃଦ୍ଧି ପାଏ ସେମାନଙ୍କ ଭିତରେ। ଏମିତିରେ ଯଦିବା କେବେ ଭଲ ମଣିଷକୁ ଖାଲରେ ପକାଇବାକୁ ଚେଷ୍ଟା କରି ଅନ୍ୟମାନେ ସଫଳ ହେଲେ ନିଜ ଭିତରେ ପ୍ରବଳ ଖୁସି ହୁଅନ୍ତି। ଏମିତିକି ଛଳନାପୂର୍ବକ ଭଲ ମଣିଷର ସମସ୍ୟାକୁ ନେଇ ଆଗରେ ଦୁଃଖ ପ୍ରକଟ କରନ୍ତି ଓ ପଛରେ ଅପାର ଖୁସି ବ୍ୟକ୍ତ କରନ୍ତି। ଏସବୁ ଭଲ ମଣିଷ ଜାଣିଲେ ନିଜକୁ ଅସହାୟ ମନେ କରେ। ନିଃସଙ୍ଗବୋଧ କରେ। ତମାମ ପୃଥିବୀ ଭିତରେ ନିଜକୁ ଏକଲା ମନେକରେ। ଏହା ଅନେକ ସମୟରେ ମଣିଷକୁ ବିପଥଗାମୀ କରାଏ।
ସାମାନ୍ୟ ଭାବପ୍ରବଣ ଓ ସମ୍ବେଦନଶୀଳତା ଭଲ ମଣିଷକୁ ଜୀବନର ଚରମ ପଦକ୍ଷେପ ଗ୍ରହଣ କରିବାକୁ ବିବଶ କରାଏ। କିନ୍ତୁ ଜ୍ଞାନୀ, ଚିନ୍ତାଶୀଳ ଓ ସଚ୍ଚୋଟ ମଣିଷମାନେ ଭାବପ୍ରବଣତାଠାରୁ ଦୂରରେ ରହି ବାସ୍ତବତାକୁ ଗ୍ରହଣ କରିବା ଆବଶ୍ୟକ। ଏଇ ଧରଣର ମଣିଷମାନେ ପ୍ରତି ପାଦରେ ଚ୍ୟାଲେଞ୍ଜକୁ ସାମ୍ନା କରନ୍ତି ଓ ସେସବୁ ଚ୍ୟାଲେଞ୍ଜକୁ ସହଜରେ ଅତିକ୍ରମ ମଧ୍ୟ କରିପାରନ୍ତି। ସ୍ଥିତାବସ୍ଥାରୁ ମୁକୁଳିବାର ବହୁ ରାସ୍ତା ମାଲୁମ ଥାଏ ଏବଂ ତମାମ ବିରୋଧ, ଈର୍ଷା ଓ କପଟ ସତ୍ତ୍ୱେ କୋଉଠି ନା କୋଉଠି ଆଉ ଜଣେ ଭଲ ମଣିଷଙ୍କ ସହାୟତାର ହାତ ନିଶ୍ଚିତ ଲମ୍ବି ଆସେ। ସମସ୍ୟା ଟଳିଯାଏ। ଅସହାୟତା ଉଭେଇଯାଏ। କାରଣ ସମୟ ଓ ସ୍ଥିତି ସବୁବେଳେ ସମାନ ନ ଥାଏ। ମେଘଢଙ୍କା ଆକାଶ ହୁଏତ କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ଘୋଡ଼େଇ ରଖିପାରେ କିନ୍ତୁ ସବୁ ସମୟ ପାଇଁ ନୁହେଁ। ବାକି ସମୟ ଆକାଶରେ ସୂର୍ଯ୍ୟ ଡେଇଁ ଡେଇଁ ଆଗକୁ ବଢ଼େ। ଖାଲି ବଢ଼େନି ନିଜର ଆଲୋକ ଓ ତାପରେ ଜୀବଜଗତକୁ ପରିପୁଷ୍ଟ କରାଏ। ସୂର୍ଯ୍ୟକୁ ଟର୍ଚ୍ଚମାରି ନିଜେ ବଳୀୟାନ ଭାବୁଥିବା ମଣିଷଙ୍କୁ ସେମିତି ସାମୟିକ ଖୁସି ହେବାକୁ ଛାଡ଼ିଦେବା ଉଚିତ। ସେହି ଖୁସି ପଛରେ ପୁଣି ଅଜସ୍ର ବିଫଳତାକୁ ବୋହି ଚାଲିବାକୁ ହେବ ସେମାନଙ୍କୁ। ଜୀବନତମାମ ଭଲ ମଣିଷଙ୍କ ଚର୍ଚ୍ଚା କରିବା ଛଡ଼ା ସେମାନଙ୍କ ନିକଟରେ ଆଉ କିଛି ନ ଥିବ। ସେମାନଙ୍କ ତମାମ ସୃଜନ ଓ ଚିନ୍ତନ ଭଲ ମଣିଷଙ୍କ ନିକଟରେ ଆସି ଅଟକି ଯାଉଥିବ ଓ ଜୀବନର ବହୁ ମୂଲ୍ୟ ସମୟକୁ ଏମିତି ବ୍ୟର୍ଥ କରି ଚାଲିଥିବେ। ଆଉ ହେଜିଲା ବେଳକୁ ସେମାନଙ୍କ ନିକଟରେ ନିଜ ପାଇଁ ସମୟ ନ ଥିବ। ଏତେସବୁ ଶୁଣିଲା ପରେ ବନ୍ଧୁ ଶିବାଶିଷ କହିଲେ – ‘ତାହା ହେଲେ ଏଇ ନିଃସଙ୍ଗ ପୃଥିବୀରେ ତଥାପି ଆମ ପାଇଁ କିଛି ଚିତ୍ର ଓ ଚରିତ୍ର ଅଛନ୍ତି। ଖରାପ ଭିତରେ ବି ଅନେକଙ୍କ ଅଦୃଶ୍ୟ ଶୁଭାଶିଷ ଆମ ପ୍ରତି ରହିଛି। ସେସବୁକୁ ସାଉଁଟି ଆଗେଇବାକୁ ହେବ !’ ଉତ୍ତରରେ ଆଉ କିଛି ନ କହି ଆତ୍ମତୃପ୍ତିର ହସଟିଏ ହସିଲି କେବଳ।
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri