ଓ୍ବାଶିଂଟନ୍, ୨୬ା୫: ଟିକା ଦୀର୍ଘ ଦିନ ଧରି କୋଭିଡ୍ ବିପଦରୁ ସୁରକ୍ଷା ଦେଇ ନ ପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ନେଚର ମେଡିସିନ୍ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟିକା ନେଇ ସାରିଥିବା ବ୍ୟକ୍ତି ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରିବେ ଏବଂ ଏଥିଯୋଗୁ ସେମାନଙ୍କ ହୃତ୍ପିଣ୍ଡ, ମସ୍ତିଷ୍କ, ଫୁସ୍ଫୁସ୍ ସମେତ ଶରୀରର ଅନ୍ୟ ପ୍ରପ୍ରୁଖ ଅଙ୍ଗ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ କରୋନା ମହାମାରୀକୁ ନିୟନ୍ତ୍ରଣରେ ରଖିବା ପାଇଁ ଟିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଟିକା ନେଇ ନ ଥିବା ଲୋକେ କରୋନା ଯୋଗୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଏଥିରେ କୁହାଯାଇଛି।
ଜଣାପଡ଼ିଛି, ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ତୁଳନାରେ ଭାକ୍ସିନ ନେଇଥିବା ଲୋକଙ୍କ କ୍ଷେତ୍ରରେ କୋଭିଡ୍ଜନିତ ମୃତ୍ୟୁ ଆଶଙ୍କା ୩୪% କମ୍। ସେହିପରି ଟିକା ନେଇଥିବା ବ୍ୟକ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ କୋଭିଡ୍ରେ ଆକ୍ରାନ୍ତ ଆଶଙ୍କା ୧୫% କମ୍ ବୋଲି ଓ୍ବାଶିଂଟନ୍ ୟୁନିଭର୍ସିଟିର ଅଧ୍ୟୟନକାରୀ କହିଛନ୍ତି। କୋଭିଡ୍ ଯୋଗୁ ଫୁସ୍ଫୁସ୍ ସଂକ୍ରମଣ, ରକ୍ତଜମାଟ ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରୋକିବାରେ ଟିକା ଫଳପ୍ରଦ। ଭାକ୍ସିନ୍ ନେଇଥିବା ଲୋକଙ୍କଠାରେ ଫୁସ୍ଫୁସ୍ ସଂକ୍ରମଣ ଓ ରକ୍ତଜମାଟ ବାନ୍ଧିବା ଯଥାକ୍ରମେ ୪୯ ଓ ୫୬% କମ୍ ରହିଛି।