Categories: ଜାତୀୟ

ଲେଡି ନକ୍ସଲ କମାଣ୍ଡରରୁ କ୍ୟାବିନେଟ ମନ୍ତ୍ରୀ

ହାଇଦ୍ରାବାଦ,୯।୧୨: ଲେଡି ନକ୍ସଲ କମାଣ୍ଡରୁ ରାଜନୀତି, ପୁଣି ୩ଥର ବିଧାୟକ ଆଉ ଏବେ କ୍ୟାବିନେଟ ମନ୍ତ୍ରୀ। ଯାହା ଏବେ ଚର୍ଚ୍ଚାର ଶିରୋନାମାରେ ରହିଛି। ସିଥାକା! ଯାହାଙ୍କ ପୁରା ନାଁ ହେଉଛି ଡାନ୍‌ସାରୀ ଅନସୂୟା ସିଥାକା। କିନ୍ତୁ ସିଥାକା ନାଁରେ ଖୁବ୍‌ ଜଣାଶୁଣା। ଏବେ ତେଲଙ୍ଗାନାର ଖୁବ୍‌ ଲୋକପ୍ରିୟ ମନ୍ତ୍ରୀ। ନିକଟରେ ରେବନ୍ଥ ରେଡ୍ଡୀ ସରକାରରେ ମନ୍ତ୍ରୀ ହୋଇଛନ୍ତି। ସିଥାକାଙ୍କ କାହାଣୀ ଯେତେ ଆଶ୍ଚର୍ଯ୍ୟ କରେ ସେତିକି ରୋଚକ ମଧ୍ୟ। ୯୦ଦଶକରେ ଆନ୍ଧ୍ର ପ୍ରଦେଶ ପୋଲିସର ନିଦ ହଜାଇ ଦେଉଥିବା ସିଥାକା ଏବେ ତେଲଙ୍ଗାନାର ସୁନା ଝିଅ।

ମାତ୍ର ୧୦ମ ଶ୍ରେଣୀ ଯାଏଁ ପଢିଥିବା ସିଥାକା ୧୯୮୮ ନକ୍ସଲ ସହ ମିଶି ଜଙ୍ଗଲରେ କରୁଥିଲେ ରାଜ। ଏହାସହ ସେ ନକ୍ସଲ ଗ୍ରୁପର ହୋଇଥିଲେ କମାଣ୍ଡର। କେବଳ ସିଥାକା ନୁହନ୍ତି ତାଙ୍କର ପୁରା ପରିବାର ନକ୍ସଲରେ ହୋଇଥିଲେ ସାମିଲ। ଏମିତି କି ସିଥାକାଙ୍କ ସ୍ବାମୀ ଓ ଭାଇ ମଧ୍ୟ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ଏହାପରେ ସିଥାକାଙ୍କ ମନ ବଦଳିଥିଲା। ଶେଷରେ ଚନ୍ଦ୍ରବାବୁ ନାଇଡୁ ସରକାରରେ ମୁଖ୍ୟ ଧାରାକୁ ଫେରିଥିଲେ ସିଥାକା।

ଆତ୍ମସମର୍ପଣ ପରେ ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ଉତ୍ଥାନ ପାଇଁ କାମ କରିବା ଆରମ୍ଭ କରିଥିଲେ ସିଥାକା । ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳରେ ଅଧିକ ଲୋକପ୍ରିୟ ହୋଇଥିଲେ । ଆଦିବାସୀ ଇଲାକାରେ ତାଙ୍କର ଏତେ ଲୋକପ୍ରିୟତା ବଢ଼ିଯାଇଥିଲା ଯେ ଶେଷରେ ୨୦୦୯ରେ ତେଲୁଗୁ ଦେଶମ ପାର୍ଟି ତାଙ୍କୁ ବିଧାନସଭା ଟିକଟ ଦେଇଥିଲା। ସେ ମୁଲୁଗ ଆସନରୁ ପ୍ରଥମଥର ୨୦୦୯ରେ ନିର୍ବାଚନ ଜିତି ବିଧାନସଭା ଯାଇଥିଲେ । ଏହାପରେ ସିଥାକା କେବେ ଆଉ ପଛକୁ ଫେରିନାହାନ୍ତି। ତେଲଙ୍ଗାନା ଗଠନ ପରେ ଟିଡିପିରୁ ଅଲଗା ହୋଇ ରେବନ୍ଥ ରେଡ୍ଡୀଙ୍କ ସହ କଂଗ୍ରେସରେ ସାମିଲ ହୋଇଥିଲେ ।

ଆଦିବାସୀ ନେତ୍ରୀ ସିଥାକାଙ୍କ ଲୋକପ୍ରିୟତା ଏତେ ବଢ଼ିଥିଲା ଯେ ସେ ମଧ୍ୟ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଥିଲେ । ରେବନ୍ଥ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଲୁଗ ଆସନରୁ ସିଥାକା ୩୩,୭୦୦ ଭୋଟ ବ୍ୟବଧାନରେ ଏଠାରୁ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ସିଥାକା ମାଟ୍ରିକ ପାସ କରିବା ପରେ ସାର୍ବଜାନୀନ ଜୀବନରେ ବ୍ୟସ୍ତତା ଭିତରେ ସେ ନିଜ ପାଠ ପଢା ଜାରି ରଖିଥିଲେ । ୨୦୨୨ରେ ସେ ରାଜନୀତି ବିଜ୍ଞାନରୁ ପିଏଚଡି ଡିଗ୍ରି ହାସଲ କରିଥିଲେ ଏହାସହ ଆଇନ ପାଠ ମଧ୍ୟ ପଢ଼ିଥିଲେ । ସିଥାକାଙ୍କ ନିକଟରେ ଏବେ ୮୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

Share