”ଆମେ ପ୍ରତିଦିନ ଜଳଖିଆ କିମ୍ବା ଭାତ, ରୁଟି ଆଦି ଖାଦ୍ୟ ଖାଇଥାଉ। ବେଳେବେଳେ କାଗଜ, କାଗଜ ପ୍ଲେଟ, ଯେକୌଣସି ପତ୍ର ଆଦିରେ ଖାଇଥାଉ। ବହୁତ ଲୋକ ଷ୍ଟିଲ କିମ୍ବା ରସ ପାତ୍ରରେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, କାରଣ ଏହି ପାତ୍ରଗୁଡ଼ିକୁ ସଫା କରିବା ସହଜ। କିନ୍ତୁ ଏହି ପାତ୍ର ଦ୍ୱାରା ଖାଦ୍ୟ ଖାଇବା ଆମ ପାଇଁ ସମ୍ପୂର୍ଣ୍ଣ ଅହିତକର। ଆମେ ସର୍ବଦା ସୁସ୍ଥ ରହିବା ପାଇଁ ସୁସ୍ବାଦୁ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ। ମନୁଷ୍ୟ କେଉଁ ପାତ୍ରରେ ଖାଦ୍ୟ ଖାଇଲେ ସୁସ୍ଥ ରହିବା ସହ ନୀରୋଗ ଓ ଦୀର୍ଘାୟୁ ହୋଇପାରିବ ତାହା ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣନା କରାଯାଇଛି।“
ସ୍ବଦେଶୀ ଚିକିତ୍ସା ବିଜ୍ଞାନ ମଧ୍ୟରେ ଆମ ଭାରତୀୟ ପାରମ୍ପରିକ ତଥା ମୌଳିକ ଚିକିତ୍ସା ବିଜ୍ଞାନ ବା ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ଅନ୍ୟତମ। ଏହି ଚିକିତ୍ସା ବିଜ୍ଞାନରେ ଆୟୁର୍ବେଦ ବିଶାରଦ ଚରକ ଓ ଶୁଶ୍ରୁତଙ୍କ ସ୍ବଲିଖିତ ଚିକିତ୍ସା ବିଜ୍ଞାନରେ ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ବିଭିନ୍ନ ନିୟମାବଳୀ ବର୍ଣ୍ଣିତ ରହିଛି। ଏହାକୁ ପାଳନ କଲେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ପ୍ରାୟ ସୁସ୍ଥ ଓ ନୀରୋଗ ରହିପାରିବ। ଜନ୍ମ ମାତ୍ରକେ ମୃତ୍ୟୁ ନିଶ୍ଚିତ। ମନୁଷ୍ୟ ବିଭିନ୍ନ କଷ୍ଟସାଧ୍ୟ, ଦୁଃସାଧ୍ୟ ରୋଗରେ ପୀଡ଼ିତ ହେଲେ ଦୁଃଖ, କ୍ଳେଶ, ଯନ୍ତ୍ରଣା ଓ ଅର୍ଥହାନି ହେବାର ସମ୍ଭାବନା ରହିଥାଏ। ଭାରତୀୟ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ ତଥା ଆମ ହାତ ପାହାନ୍ତାରେ ଉପଲବ୍ଧି ହେଉଥିବା ଏପରି କେତେକ ଉପାୟ ରହିଛି ଯାହାକୁ ଜଣେ ସାଧାରଣ ମଣିଷ ତାହାର ଜୀବନରେ ଉପଯୋଗ କରିପାରିବ। ଏହା ସୁସ୍ଥ ଜୀବନଯାପନରେ ସହାୟକ ହୋଇପାରିବ। ଜୀବନର ମୁଖ୍ୟ ଲକ୍ଷ୍ୟ ହେଲା ଧର୍ମ, ଅର୍ଥ, କାମ, ମୋକ୍ଷ- ଯାହାକୁ ‘ଚତୁରବର୍ଗ ଫଳ ପ୍ରାପ୍ତି’ ବୋଲି କୁହାଯାଏ। ଆମ ଭାରତୀୟ ଚିକିତ୍ସା ଶାସ୍ତ୍ରରେ କିଛି ନିର୍ଦ୍ଦିଷ୍ଟ ରୋଗ ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧୀୟ ବୃକ୍ଷଲତା ରହିଛି, ଯାହାକି ଆମ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଯେପରି ନୀରୋଗ ସ୍ବାସ୍ଥ୍ୟ ନିମନ୍ତେ ଗାଈ କ୍ଷୀର ସେବନ, ଉତ୍ତମ ପାକ କ୍ରିୟା ପେଟରେ ବାୟୁ ବୃଦ୍ଧିକୁ ହ୍ରାସ ପାଇଁ ଜୁଆଣି ଖାଇବା, ରକ୍ତ ପରିଷ୍କାର ଓ ଚର୍ମ ରୋଗ ପାଇଁ ନିମପତ୍ର ଓ ହଳଦୀ, ଶରୀରରେ ରକ୍ତ ଚାପ ନିୟନ୍ତ୍ରଣ ପାଇଁ ସଜନା ଶାଗ, ଶରୀର ପୀଡା କିମ୍ବା ଜଏଣ୍ଟ ପେନ୍ ପାଇଁ ପ୍ରସାରଣୀ ପତ୍ରକୁ ବାଟି ସିଝାଇ ପିଇବା, ହଜମ ପାଇଁ ପୋଦିନା ଚଟଣି, ଥଣ୍ଡା କାଶ ପାଇଁ ମହୁ ଓ କୃଷ୍ଣ ତୁଳସୀ ରସ, ଦାନ୍ତ ବିନ୍ଧା ହେଲେ ଗୋଟା ଲବଙ୍ଗ କିମ୍ବା ଲବଙ୍ଗ ତୈଳ ଆଦିର ପ୍ରୟୋଗ ତତ୍କ୍ଷଣାତ ଉପଶମ ଦେଇଥାଏ। ଉକ୍ତ ଉପାଦାନଗୁଡ଼ିକ ବ୍ୟବହାର ଦ୍ୱାରା ଶରୀରରେ ତୁରନ୍ତ ରୋଗ ଉପଶମ ହେବା ସହ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି ପାଇଥାଏ। ଆମେ ପ୍ରତିଦିନ ଜଳଖିଆ କିମ୍ବା ଭାତ, ରୁଟି ଆଦି ଖାଦ୍ୟ ଖାଇଥାଉ। ବେଳେବେଳେ କାଗଜ, କାଗଜ ପ୍ଲେଟ, ଯେକୌଣସି ପତ୍ର ଆଦିରେ ଖାଇଥାଉ। ବହୁତ ଲୋକ ଷ୍ଟିଲ କିମ୍ବା ରସ ପାତ୍ରରେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, କାରଣ ଏହି ପାତ୍ରଗୁଡିକୁ ସଫା କରିବା ସହଜ। କିନ୍ତୁ ଏହି ପାତ୍ର ଦ୍ୱାରା ଖାଦ୍ୟ ଖାଇବା ଆମ ପାଇଁ ସମ୍ପୂର୍ଣ୍ଣ ଅହିତକର। ଆମେ ସର୍ବଦା ସୁସ୍ଥ ରହିବା ପାଇଁ ସୁସ୍ବାଦୁ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ। ମନୁଷ୍ୟ କେଉଁ ପାତ୍ରରେ ଖାଦ୍ୟ ଖାଇଲେ ସୁସ୍ଥ ରହିବା ସହ ନୀରୋଗ ଓ ଦୀର୍ଘାୟୁ ହୋଇପାରିବ ତାହା ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣନା କରାଯାଇଛି। ସେ ସମ୍ପର୍କରେ ନିମ୍ନରେ ସୂଚନା ଦିଆଗଲା।
ମାଟି ପାତ୍ର : ମାଟି ପାତ୍ରରେ ଖାଦ୍ୟ ରୋଷେଇ କଲେ ଏହା ଅଧିକ ସ୍ବାଦିଷ୍ଟ ହୋଇଥାଏ। ଏପରି ପାତ୍ରରେ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା କମ୍ ଥାଏ।
ସୁନା ପାତ୍ର: ସୁନାଥାଳି କିମ୍ବା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ବିଦ୍ୟା, ବୁଦ୍ଧି ଓ ଆୟୁ ବୃଦ୍ଧି ହୋଇଥାଏ ବୋଲି ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ ଅଛି।
ରୁପା ପାତ୍ର : ରୁପା ଥାଳି କିମ୍ବା ପାତ୍ର ରେ ଖାଦ୍ୟ ଖାଇଲେ ବୁଦ୍ଧିମାନ ଓ ଦୀର୍ଘାୟୁ ହୋଇଥାଏ।
କଂସା ପାତ୍ର : କଂସା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ନୀରୋଗ ତଥା ଆୟୁ ବୃଦ୍ଧିରେ ସହାୟକ ହୋଇଥାଏ।
ତମ୍ବା ପାତ୍ର : ତମ୍ବା ପାତ୍ରରେ କିଛି ଘଣ୍ଟା ପାଣି ରଖି ସେବନ କରିବା ଦ୍ୱାରା ସମସ୍ତ ପ୍ରକାର ଚର୍ମ ରୋଗ, ପେଟରେ ଏସିଡିଟିକୁ ନିୟନ୍ତ୍ରିତ ରଖିଥାଏ। ତା’ସହ ଏପରି ପାତ୍ରରେ ଖାଇବା ଦ୍ୱାରା ମନ ପବିତ୍ର ରହିବା ସହ ଆୟୁ ବୃଦ୍ଧି ହୋଇଥାଏ।
ପିତ୍ତଳ ପାତ୍ର : ପିତ୍ତଳ ପାତ୍ରରେ ଖାଦ୍ୟ ଖାଇଲେ ମନ ଶରୀର ଶାନ୍ତ ପବିତ୍ର ରହିବା ସହ ଆୟୁ ବୃଦ୍ଧି ହୋଇଥାଏ।
ରସ ପାତ୍ର : ରସ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମନରେ ମାନସିକ ଚିନ୍ତା ବୃଦ୍ଧି ସହ ମନୁଷ୍ୟ ଚିଡିଚିଡ଼ା ସ୍ବଭାବର ହୋଇଥାଏ।
ଷ୍ଟିଲ କିମ୍ବା ଲୌହ ପାତ୍ର : ଲୌହ କିମ୍ବା ଷ୍ଟିଲ ପାତ୍ରରେ ପ୍ରତିଦିନ ଖାଦ୍ୟ ଖାଇଲେ ମନ ଅସ୍ଥିର, ପେଟରେ ବାୟୁ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ।
କଦଳୀ ପତ୍ର : କଦଳୀ ପତ୍ରରେ ଖାଦ୍ୟ ଖାଇଲେ ମନ ଶାନ୍ତ, ପବିତ୍ର ରହିବା ସହ ଆୟୁଷ ବୃଦ୍ଧି ହୋଇଥାଏ ବୋଲି ଏଥିରେ ଉଲ୍ଲେଖ ରହିଛି।
ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବିଭିନ୍ନ ଧାତୁ ଦ୍ୱାରା ନିର୍ମିତ ପାତ୍ରର ମଧ୍ୟ ଆମ ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ସୁସ୍ଥ ରଖିବା ଲାଗି ସରଳ ନିରାଡ଼ମ୍ବର ଜୀବନଯାପନର ଆବଶ୍ୟକତା ରହିଛି। ଏହାଦ୍ୱାରା ଆମ ଶରୀର ସୁସ୍ଥ, ନୀରୋଗ ହେବା ସହ ତାହା ଆମକୁ ଦୀର୍ଘାୟୁ ହେବାରେ ସହାୟକ ହୋଇପାରିବ।
ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭