ବାରଙ୍ଗ,୨୨।୫(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠରେ ପିଇବା ପାଣି ସମସ୍ୟା ବଢ଼ିବାରେ ଲାଗିଛି। ବାରଙ୍ଗ ବ୍ଲକ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତ ଅଧୀନ ବଙ୍ଗାଳୀ ସାହିରେ ପାଣି ନେବାକୁ ଟ୍ୟାଙ୍କର ପାଖରେ ଲମ୍ବା ଧାଡ଼ି ଲାଗିଥିବା ରବିବାର ଦେଖିବାକୁ ମିଳିଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଠାରେ ସରକାରୀ ଯୋଜନା ପଥଭ୍ରଷ୍ଟ ହେବାଭଳି ମନେହେଉଛି। ଗଁାରେ ଗତ ୧୫ବର୍ଷ ହେବ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ପଡିଛି, କିନ୍ତୁ ପାଣି ସଂଯୋଗ ହୋଇ ନ ଥିବାରୁ ଗ୍ରାମବାସୀ ହଇରାଣ ହେଉଛନ୍ତି। ଖରାଦିନ ଆସିଲେ ଗଁାରେ ଥିବା କୂଅ ଓ ନଳକୂପର ଜଳସ୍ତର ହ୍ରାସ ପାଉଥିବାରୁ ଠିକ ପରିମାଣର ପାଣି ପାଇଁ ଗ୍ରାମବାସୀ ହଇରାଣ ହୁଅନ୍ତି, ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍ଥାନୀୟ ସରପଞ୍ଚ ଶନିବାର ଏକ ପାଣି ଟ୍ୟାଙ୍କର ଯୋଗାଇଦେଇଥିବାରୁ ପାଣି ପାଇଁ ଲମ୍ବା ଧାଡ଼ି ଲାଗିଥିବା ଜଣାପଡ଼ିଛି।