ଉପେନ୍ଦ୍ର ବିଶ୍ୱାଳ
ଅଭୂତପୂର୍ବ, ଅଶ୍ରୁତପୂର୍ବ, ଅକଳ୍ପନୀୟ ଥିଲା ଛାତିଥରା ସେ ଦୁର୍ଘଟଣା। ଆଖି ପିଛୁଳାକେ ଧ୍ବଂସର ତାଣ୍ଡବ ରଚିଲା ଲୌହଦାନବ। ଗୋଟେ ମୁହୂର୍ତ୍ତରେ ଶହଶହ ଜୀବନ ପରିଣତ ହୋଇଗଲା ପ୍ରାଣହୀନ ଶରୀରରେ। ହଜାର ହଜାର ଲୋକଙ୍କ ଡହଳବିକଳ, ଆର୍ତ୍ତ ଚିତ୍କାରରେ ଫାଟିପଡ଼ିଲା ପରିବେଶ। ଅବର୍ଣ୍ଣନୀୟ ସେ ଦୃଶ୍ୟ। ଟ୍ରେନ ଧକ୍କାଜନିତ ଭୟଙ୍କର ଶବ୍ଦରେ ଶିହରି ଉଠିଲା ବାହାନଗା ଅଞ୍ଚଳ। ନିମିଷକେ ଚାରିଦିଗେ ଖେଳିଗଲା ଦୁର୍ଘଟଣାର ଖବର। ହତଭାଗ୍ୟମାନଙ୍କୁ ଉଦ୍ଧାର କରିବାକୁ ଲୋକଙ୍କ ସୁଅ ଛୁଟିଲା ଘଟଣା ସ୍ଥଳକୁ। ଅସୀମ ବୀରତ୍ୱର ସହିତ ଲାଗିପଡ଼ିଲେ ସମସ୍ତେ ଉଦ୍ଧାର କାର୍ଯ୍ୟରେ। ଆଖି ଆଗରେ ବିଛାଡ଼ି ହୋଇପଡ଼ିଛି ଅନେକ ଶବ, ଚାରିଆଡ଼େ ରକ୍ତ ଜୁଡ଼ୁବୁଡ଼ୁ କ୍ଷତାକ୍ତ ଶରୀର। ଏମିତି ଏକ ପରିସ୍ଥିତିରେ ନିଜ କୋହ ଓ ଲୁହକୁ ସମ୍ଭାଳି ଅସୀମ ସାହସର ସହିତ ଆହତଜନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ଥିଲା ଖୁବ୍ କାଠିକର କଥା। ଏହାସତ୍ତ୍ୱେ ବି ସେମାନେ ଯେଉଁ ପ୍ରକାର ଉତ୍ସୁକତା, ତତ୍ପରତାର ସହିତ ସାହାଯ୍ୟ ସହଯୋଗ କଲେ, ତାହା ଥିଲା ଅନନ୍ୟ, ଅନୁପମ। ଏକ ଦିବ୍ୟ ଦୃଷ୍ଟାନ୍ତ। ସ୍ଥାନୀୟ ଝିଅବୋହୂମାନଙ୍କ ଭୂମିକା ବି ଥିଲା ପ୍ରଶଂସନୀୟ। ଗରାଗରା, ବାଲ୍ଟିବାଲ୍ଟି ପାଣି ବୋହିଆଣି ଶହଶହ ଲୋକଙ୍କ ମୁହଁରେ ପାଣି ଛିଞ୍ଚତ୍ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି। ପୁଣି ଶହଶହ ଲୋକଙ୍କ ଶୋଷ ମେଣ୍ଟାଇ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି। ଦୁର୍ଘଟଣା ସ୍ଥଳରୁ ସଯତ୍ନେ ସାଉଁଟି ରଖିଥିବା ୫୦୦ ମୋବାଇଲ, ୧୦୦ ୱାଲେଟ୍ସ, ଅନେକ ପର୍ସ ଓ ବ୍ୟାଗ ଆଦିକୁ ପୋଲିସକୁ ହସ୍ତାନ୍ତର କରିବା ଆଦି ଲୋକଙ୍କ ଦୈବୀପଣକୁ ସୂଚାଇଥାଏ। ଭାବିଲେ ଦେଖି, ସାରାରାତି ଓ ସାରାଦିନ ଅବିଶ୍ରାନ୍ତଭାବେ ବାହାନଗା ସମେତ ବିଭିନ୍ନ ଅଞ୍ଚଳର ଯେଉଁ ଲୋକମାନେ (ବିଶେଷ କରି ଯୁବବାହିନୀ) ଏତାଦୃଶ ସେବା କରିଥିଲେ, ସେମାନେ କ’ଣ ଜଣେଜଣେ ଦେବଦୂତ ନୁହନ୍ତି!
ଅନ୍ୟପଟେ ଆହତ ଲୋକଙ୍କ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲ କଲେଜ ବା ଜିଲା ଚିକିତ୍ସା କେନ୍ଦ୍ରରେ ରାତି ୮ରୁ ତା’ପରଦିନ ପର୍ଯ୍ୟନ୍ତ କେଇ ଘଣ୍ଟାରେ ସଂଗ୍ରହ ହେଲା ରେକର୍ଡ ସଂଖ୍ୟକ ୧୦୦୦ ୟୁନିଟ୍ରୁ ଅଧିକ ରକ୍ତ। କେବଳ ବାଲେଶ୍ୱର ଜିଲା ନୁହେଁ, ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ବି ରକ୍ତଦାନ ପାଇଁ ଅସମ୍ଭାଳ ଭିଡ଼ ଲାଗିଥିଲା ରକ୍ତଦାନ କେନ୍ଦ୍ରଗୁଡ଼ିକରେ। ଦୁନିଆ ଦେଖିଲା ବାଲେଶ୍ୱର ସମେତ ଓଡ଼ିଶାବାସୀଙ୍କ ଉତ୍ସାହଭରା ମାନବିକତା, ଦୟାର୍ଦ୍ର ହୃଦୟ ଓ ଦୈବୀଗୁଣ। ରାଜ୍ୟର ବିଭିନ୍ନ ଜିଲାରୁ ଚିକିତ୍ସକମାନେ ଅବିଳମ୍ବେ ଆସି ପହଞ୍ଚତ୍ଗଲେ ଡାକ୍ତରଖାନାରେ। ସ୍ବଳ୍ପ ସମୟ ବ୍ୟବଧାନରେ ବିଭିନ୍ନ ଡାକ୍ତରୀଦଳ ସୁବ୍ୟବସ୍ଥିତ ଢଙ୍ଗରେ ନିୟୋଜିତ ହେଲେ ନିକଟସ୍ଥ ସୋର, ଗୋପାଳପୁର, ଖନ୍ତାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆଦି ଡାକ୍ତରଖାନାରେ। ଉଦ୍ଧାରକାର୍ଯ୍ୟଠୁ ଆରମ୍ଭ କରି ସେବା ଓ ଚିକିତ୍ସା ପର୍ଯ୍ୟନ୍ତ, ସ୍ବଚ୍ଛତା ବଜାୟ ରଖିବାଠାରୁ ଶୃଙ୍ଖଳା ରକ୍ଷା ପର୍ଯ୍ୟନ୍ତ, ଶବ ଚିହ୍ନଟଠାରୁ ଶବ ବ୍ୟବଚ୍ଛେଦ ଓ ଶବ ପ୍ୟାକିଂ ପର୍ଯ୍ୟନ୍ତ ଦେବଦୂତ ସମ ଲାଗି ପଡ଼ିଥିଲେ ୨୦୦ରୁ ଊଦ୍ଧର୍ବ ଆମ୍ବୁଲାନ୍ସର ଡ୍ରାଇଭର, ୫୦ରୁ ଊଦ୍ଧର୍ବ ବସ୍ର ଡ୍ରାଇଭର, ୨୪ରୁ ଊର୍ଦ୍ଧ୍ୱ ମୋବାଇଲ ହେଲ୍ଥ ୟୁନିଟ୍, ୨୫୦ରୁ ଅଧିକ ଡାକ୍ତର, ୨୫୦ରୁ ଅଧିକ ନର୍ସ, ଶତାଧିକ ସଫେଇ କର୍ମଚାରୀ, ୨୪ ଅଗ୍ନିଶମ ପ୍ରଶମନ ଟିମ୍, ୫ ଓଡ୍ରାଫ ଟିମ୍, ୯ ଏନ୍ଡିଆର୍ଏଫ୍ ଟିମ୍, ପ୍ରତିରକ୍ଷା ଟିମ୍, ସ୍ଥାନୀୟ ପୋଲିସ ବାହିନୀ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ହୋଇଥିଲେ ୧୨୦୦ ସରକାରୀ କର୍ମଚାରୀ ଏବଂ ଶହଶହ ସ୍ବେଚ୍ଛାସେବୀ; ଯେଉଁମାନଙ୍କ ଅବଦାନ ଥିଲା ଅନନ୍ୟ। ବିଶେଷକରି ଜିଲାପାଳ ଡି. ବି. ସିନ୍ଦେ, ଏସ୍ପି ସାଗରିକା ନାଥ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ନିର୍ମଳ ଚନ୍ଦ୍ର ଶାହାଣୀ ପ୍ରମୁଖଙ୍କ ଅବଦାନ ଅସୁମାରି। ଦୁର୍ଘଟଣାର କେଇଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପହଞ୍ଚତ୍ଗଲେ ସେହି ସ୍ଥଳରେ, ନିଜ ବୟସ ଓ ବ୍ୟାଧିକୁ ବେଖାତିର କରି। ତା’ପରେ ପରେ ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚତ୍ ସ୍ଥିତି ପରଖିବା, ରେଳମନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଆଦି ଏକ ଭବ୍ୟ ଦୃଷ୍ଟାନ୍ତ। ଏହିଭଳି ସାମୂହିକ ସାଧୁ ଉଦ୍ୟମ, ସମୁଚିତ ସେବାଶୁଶ୍ରୂଷା ବଳରେ ଶତାଧିକ ଲୋକ ଶବ ହେଉ ହେଉ ବର୍ତ୍ତିଗଲେ ଅଳ୍ପକେ। ଏକପ୍ରକାର କହିବାକୁ ଗଲେ ଜୁଇରୁ ଫେରିଲେ ଜୀବନ ନେଇ।
ସଂଘଟିତ ରେଳ ଦୁର୍ଘଟଣାକୁ ନେଇ ଦେଶରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ। ପ୍ରଦର୍ଶିତ ହେଉଛି ରାଜନେତାଙ୍କ ନିକୃଷ୍ଟ ରାଜନୀତିର ନଗ୍ନ ନିଦର୍ଶନ। ପ୍ରତିପକ୍ଷ ମୁହଁରେ ଏକ ଦମ୍ଦାର ମୁଥଟିଏ ଦେଇ ତାକୁ ଭୂପତିତ କରିବାକୁ ଯେପରି ସୁଯୋଗ ଅପେକ୍ଷାରେ ଥା’ନ୍ତି ପ୍ରତିଦ୍ୱନ୍ଦ୍ୱୀ, ଠିକ୍ ସେପରି ଅବସ୍ଥା ଆଜି ଆମ ଦେଶରେ। ସତେଯେମିତି ଏଭଳି ଦୁର୍ଘଟଣାକୁ ଆମେ ଅପେକ୍ଷା କରି ରହିଥିଲେ; ଠିକ୍ ଯେମିତି ଅତ୍ୟନ୍ତ ଆତୁରତାର ସହିତ ଶବକୁ ଅପେକ୍ଷା କରି ରହିଥାଏ ଶାଗୁଣାଟିଏ। ପ୍ରକୃତରେ ଶବକୁ ନେଇ ସୌଦା କରିବାରେ ଆମ ରାଜନେତାମାନେ ଖୁବ୍ ମାହିର। ଯେମିତି ଜୀବନ ଅଛି ମାନେ ଯନ୍ତ୍ରଣା ଅଛି; ସେମିତି ଯାତ୍ରା ଅଛି ମାନେ ଯାତନା ରହିଛି, ଦୁର୍ଘଟଣା ଅଛି। ସାଗର ଯାତ୍ରାରେ ଦୁର୍ଘଟଣା ଅଛି, ଆକାଶ ଯାତ୍ରା (ମାର୍ଗ)ରେ ବି ଦୁର୍ଘଟଣା ଅଛି। ଅବଶ୍ୟ ଦୁର୍ଘଟଣା ହ୍ରାସ ପାଇଁ ଯଥାସମ୍ଭବ ସତର୍କ ରହିବା ଉଚିତ। ସଚେତନତା, ସତର୍କପଣିଆ ହିଁ ଅନେକାଂଶରେ ଦୁର୍ଘଟଣା ହ୍ରାସ କରିପାରେ। ବିଶ୍ୱର ବୃହତ୍ତମ ଜନସଂଖ୍ୟାର ଦେଶ ହେଉଛି ଭାରତ, ଯେଉଁଠି ଦୈନିକ ଅନୂ୍ୟନ ୧୩,୧୬୯ଟି ଯାତ୍ରୀବାହୀ ଟ୍ରେନ୍ ଚାଲେ। ଯେଉଁଥିରେ ପ୍ରାୟ ତିନି କୋଟି ଯାତ୍ରୀ ଯା’ଆସ କରିଥାନ୍ତି ଏବଂ ୧୪ କୋଟି ଟନ୍ରୁ ଊଦ୍ଧର୍ବ ଓଜନର ସାମଗ୍ରୀ ପରିବହନ ହୋଇଥାଏ ୮,୪୭୯ ମାଲବାହୀ ଟ୍ରେନ ଜରିଆରେ। ଅର୍ଥାତ୍ ଭାରତରେ ଦୈନିକ ହାରାହାରି ୨୧,୬୪୮ ଟ୍ରେନ୍ ଚାଲେ, ୧,୨୮,୩୦୫ କିମି. ରେଳ ଲାଇନରେ। ଏଭଳି ଏକ ବିଶାଳ ସଂଖ୍ୟକ ଯାତ୍ରୀଙ୍କ ସେବାରେ ଲିପ୍ତ ଆମ ରେଳ ବିଭାଗ ଭାରାକ୍ରାନ୍ତ ଆଜି ଅନେକ ସମସ୍ୟାକୁ ନେଇ। ତଥାପି ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଅଘଟଣ ଦୃଷ୍ଟିରୁ ପ୍ରାୟ ୩୪ କୋଟି ଲୋକସଂଖ୍ୟାର ଦେଶ ଆମେରିକା, ପ୍ରାୟ ୭୫ କୋଟି ଲୋକସଂଖ୍ୟା ବିଶିଷ୍ଟ ସମଗ୍ର ୟୁରୋପୀୟ ଜଗତଠାରୁ ୧୪୦ କୋଟି ଲୋକଙ୍କ ଦେଶ ଭାରତ ଉନ୍ନତ ସ୍ଥିତିରେ। ରେଳ ଭିତ୍ତିଭୂମି ଦୃଷ୍ଟିରୁ ଆମଠାରୁ ବେଶ୍ ଆଗରେ ଓ ଯାତ୍ରୀସଂଖ୍ୟାରେ ଆମଠାରୁ ଯଥେଷ୍ଟ କମ୍ ଥାଇ ବି ଆମେରିକାରେ ଦୈନିକ ହାରାହାରି ୩ ଓ ୟୁରୋପୀୟ ୟୁନିୟନରେ ୪ଟି ବଡ଼ ରେଳ ଦୁର୍ଘଟଣା ଘଟିଥାଏ। ଆମେରିକାର ଫେଡେରାଲ ରେଲ୍ରୋଡ ଆଡ୍ମିନିଷ୍ଟ୍ରେଶନର ତଥ୍ୟାନୁଯାୟୀ ୨୦୨୨ରେ ୧୧୬୪ଟି ରେଳ ଲାଇନ୍ଚ୍ୟୁତ ଘଟଣା ଘଟିଥିଲାବେଳେ, ୨୦୨୧ରେ ଘଟିଥିଲା ୧୦୯୫ ଘଟଣା। ଯେଉଁଠି ୟୁରୋପରେ ୨୦୨୧ରେ ଘଟିଥିଲା ୧୩୮୯ ବଡ଼ ଧରଣର ଦୁର୍ଘଟଣା, ଯେଉଁଥିରେ ୬୮୩ ଜଣଙ୍କର ମୃତ୍ୟୁ ଓ ୫୧୩ ଜଣ ଗୁରୁତର ଆହତ ହୋଇଥିଲେ। ଅଥଚ ଭାରତରେ ବଡ଼ ଦୁର୍ଘଟଣା ଘଟିଛି ୨୦୨୩ରେ ୪, ୨୦୨୨ରେ ୩, ୨୦୨୧ରେ ୪। ଅବଶ୍ୟ ଚଳିତ ଶତାବ୍ଦୀରେ ସର୍ବାଧିକ ବଡ଼ ଦୁର୍ଘଟଣା ଘଟିଥିଲା ୨୦୧୦(୧୪), ୨୦୧୧(୯), ୨୦୧୨(୧୨) ମସିହାରେ। ଟ୍ରେନ୍ ତଳେ ଆତ୍ମହତ୍ୟା, ବୁଲାପ୍ରାଣୀ ଧକ୍କା, ରେଳ ଲାଇନଚ୍ୟୁତ ଆଦି ଛୋଟବଡ଼ ସବୁକୁ ମିଶାଇଲେ ଦୈନିକ ହାରାହାରି ପ୍ରାୟ ୪୫ ଦୁର୍ଘଟଣା ଘଟିଥାଏ ଭାରତରେ। ଲୋକସଂଖ୍ୟା ସହିତ ତାଳଦେଇ ବଢୁଛି ରେଲଗାଡ଼ି, ରେଳଲାଇନ୍ ଓ ରେଳଷ୍ଟେସନ ସଂଖ୍ୟା। ଆମକୁ ଦୁର୍ଘଟଣା ବିହୀନ ସୁଖମୟ ରେଳଯାତ୍ରା ପାଇଁ ଯତ୍ନବାନ ହେବାକୁ ପଡ଼ିବ। ସେଥିପାଇଁ ଆମ୍ଭଙ୍କୁ ଅତ୍ୟନ୍ତ ନିଷ୍ଠାର ସହିତ ପ୍ରୟାସ ଜାରି ରଖିବାକୁ ହେବ। ନାଗରିକଙ୍କ ସମେତ ରେଳ କର୍ମଚାରୀ ସମସ୍ତଙ୍କୁ ନିଜ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇବାକୁ ହେବ। ସୁରକ୍ଷା ପ୍ରଥମ, ବିକାଶ ଅବଶ୍ୟ। ଦେଶର ସୁରକ୍ଷା ସଭିଙ୍କ ଦାୟିତ୍ୱ।
ମୋ: ୯୪୩୭୪୩୬୦୭୩