ପୁରୁଷୋତ୍ତମପୁର,୧୯।୫(ଡି.ଏନ୍.ଏ.): କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘରୁ ବାହାରକୁ ନ ଆସିବା ଲାଗି ସରକାର ନିର୍ଦ୍ଦେଶ ଦେଇ ଲକ୍ଡାଉନ୍ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏଭଳି ପରିସ୍ଥିତିରେ କୌଣସି ଗାଡ଼ିମୋଟର ଚାଲୁ ନ ଥିବା ବେଳେ ବିଭିନ୍ନ ଭତ୍ତା ଟଙ୍କା ଲାଗି ବହୁ ଗରିବ ବୃଦ୍ଧ, ବୃଦ୍ଧା ପରିଣତ ବୟସରେ ପ୍ରଚଣ୍ଡ ଖରାରେ ଦୂର ଦୂରାନ୍ତ ଗ୍ରାମରୁ ପୁରୁଷୋତ୍ତମପୁର ସହରକୁ ଚାଲି ଚାଲି ଆସିଛନ୍ତି। ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ହିତାଧିକାରୀଙ୍କୁ ଘର ନିକଟରେ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ ଅନ୍ଲାଇନ ମାଧ୍ୟମରେ ଭତ୍ତା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଉଛି। ମାତ୍ର ସମସ୍ତ ଗ୍ରାମରେ ବ୍ୟାଙ୍କ ନ ଥିବାରୁ ବର୍ତ୍ତମାନ ଏଭଳି ସମସ୍ୟା ଦେଖାଦେଇଛି। ସରକାର ଓ ଜିଲାପାଳ ଏ ଦିଗରେ ଗୁରୁତ୍ୱ ଦେଇ ଏଭଳି ମହାମାରୀ ସମୟରେ ଘର ନିକଟରେ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି।