ଏନ୍‌ଏଚ୍‌ ୪୯ରେ ଟ୍ରକ୍‌ର ଲମ୍ବା ଧାଡ଼ି, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଞ୍ଜାର-ଡଙ୍ଗାପାଣି ରାସ୍ତା ଏନ୍‌ଏଚ୍‌ ୪୯ରେ ଶନିବାର ଶହ ଶହ ଟ୍ରକ ଛିଡା ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ବ୍ୟାହତ ହୋଇଛି। ଭୁଲ ରାସ୍ତାରେ ଗାଡ଼ି ଚଳାଚଳ, ରାସ୍ତାକଡ଼ରେ ପାର୍କିଂ ଆଦି କାରଣରୁ ରାସ୍ତାରେ ଟ୍ରକର ଲମ୍ବା ଧାଡ଼ି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ସେହିପରି ସଦର ଥାନା ପୋଲିସ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାରେ ନୟାନ୍ତ ହୋଇ ଯାଇଥିଲେ ହେଁ ରାସ୍ତା ମୁକ୍ତ କରିବାରେ ବିଫଳ ହେଉଛି। ଏପରିକି ବେଆଇନ ଭାବରେ ହାତୀ ଚଲାପଥ ଅଞ୍ଚଳରେ ମଧ୍ୟ ଟ୍ରକ ପାର୍କିଂ ଚିନ୍ତାର ବିଷୟ ହୋଇଛି। ଖଣି ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ସୃଷ୍ଟିହେଉଛି।

ସେହିପରି ସଦର ଥାନା ଅନ୍ତର୍ଗତ ଶୁଆକାଟି ଖଣି ଅଞ୍ଚଳରେ ରାସ୍ତାରେ ଟ୍ରକ ଛିଡ଼ା ହୋଇ ରହୁଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଖଣି କର୍ତ୍ତୃପକ୍ଷ ପାର୍କିଂ ବ୍ୟବସ୍ଥା କରୁ ନ ଥିବାରୁ ଟ୍ରକଗୁଡ଼ିକ ରାସ୍ତାରେ ଛିଡ଼ା ହୋଇରହିଛି। ଫଳରେ ବଂଶପାଳ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଅନେକ ସମୟରେ ଜାମ ହେଉଥିବା ବେଳେ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ଏନ୍‌ଏଚ୍‌ ୪୯ ରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ବିଶେଷ କରି ଛୋଟ ଛୋଟ ପିଲା ସ୍କୁଲ ଯିବା ଆସିବାରେ ସମସ୍ୟା ଭୋଗୁଛନ୍ତି। ଅନେକ ଟ୍ରକ ଲାଇନନ୍‌୍‌ରେ ରହିବା ପାଇଁ ତୁରନ୍ତ ଲୋର୍ଡିଂ ପାଇବା ପାଇଁ ଲାଇନ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରୁଥିବାରୁ ଅନେକ ସମୟରେ ରାସ୍ତା ଜାମ ହେଉଛି। ସେହିପରି କେତେକ ଟ୍ରକ ଡିଭାଇଡର ଉପରେ ଚଢ଼ି ରାସ୍ତା ପାର ହେଉଥିବାରୁ ରାସ୍ତା ଭାଙ୍ଗୁଛି। ବନ ବିଭାଗ, ପୋଲିସ ତଥା ପରିବହନ ବିଭାଗ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏଣୁ ପାର୍କିଂ ବ୍ୟବସ୍ଥା କରି ଯାତାୟାତ ସ୍ବାଭାବିକ କରିବାକୁ ଦାବି ହେଉଛି।