ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍ଆର୍)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା (ଏଆଇଏଫ୍)ର ମିଳିତ ଦଳ। ଓଡ଼ିଶା ବାଲେଶ୍ୱର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ ଏହାର ସଫଳ ପରୀକ୍ଷା କରାଯାଇଛି।
ଆଇଏଏଫ୍ ଫାଇଟର୍ ଜେଟ୍ରୁ ଛଡ଼ା ଯାଇଥିବା ଏଲ୍ଆର୍ ବୋମା ଦୂରଯାତ୍ରା କରିବା ପରେ ସ୍ଥଳଭାଗରେ ଥିବା ଟାର୍ଗେଟକୁ ଧ୍ୱଂସ କରିଥିଲା। ଏଲଆର୍ ବୋମା ଏହି ମିଶନର ସମସ୍ତ ପାରାମିଟର ହାସଲ କରିଛି।
ଟେଲେମେଟ୍ରି ଏବଂ ଇଲେକଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଭଳି ସେନସର ମାଧ୍ୟମରେ ବୋମାର ଉଡାଣ ଓ ପ୍ରଦର୍ଶନକୁ ମନିଟର କରାଯାଇଥିଲା। ଏହି ବୋମା ହାଇଦ୍ରାବାଦ୍ସ୍ଥିତ ଇମାରତ ଗବେଷଣା କେନ୍ଦ୍ର (ଆର୍ସିଆଇ) ଓ ଡିଆରଡିଓର ମିଳିତ ଉଦ୍ୟମରେ ବିକଶିତ ହୋଇଛି। ସଫଳ ପରୀକ୍ଷା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ବାୟୁ ସେନା ଓ ମିଶନ ସହ ଜଡ଼ିତ ଅନ୍ୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।