Categories: ବାଣିଜ୍ୟ

ଓଏମ୍‌ସି କର୍ମଚାରୀଙ୍କୁ ‘ଲଙ୍ଗ୍‌ ସର୍ଭିଂ ଆଓ୍ବାର୍ଡ’

ଭୁବନେଶ୍ୱର,୨୮।୪: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ର ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ୧୬୪ କର୍ମଚାରୀଙ୍କୁ ଗୁରୁବାର ଏକ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କରାଯାଇଛି। ଓଏମ୍‌ସିରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ସହ ସେବା ପ୍ରଦାନ କରିଥିବାରୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିଗମ ପକ୍ଷରୁ ‘ଲଙ୍ଗ୍‌ ସର୍ଭିଂ ଆଓ୍ବାର୍ଡ ’ରେ ସମ୍ମାନିତ କରାଯାଇଛି।
ଏ ସମ୍ପର୍କରେ ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ କହିଛନ୍ତି, ଦୀର୍ଘ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ନିଗମ ପ୍ରତି ରହିଥିବା ଅବଦାନ ଲାଗି ଏଭଳି ପୁରସ୍କାରର ପରିକଳ୍ପନା କରାଯାଇଛି। ସେମାନଙ୍କର ପ୍ରତିବଦ୍ଧତା ଓଏମ୍‌ସିକୁ କ୍ରମାଗତ ଭାବେ ସାଧାରଣ ଲୋକଙ୍କୁ ସେବା କରିବାରେ ସକ୍ଷମ କରିବା ସହ ଭାରତର ଏକ ବୃହତ୍ତମ ତଥା ଅଗ୍ରଣୀ ଖଣିଜ ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠିତ କରାଇବାରେ ସକ୍ଷମ ହୋଇଛି।
ଅପରପକ୍ଷରେ ପୁରସ୍କାର ପାଇଥିବା କର୍ମଚାରୀମାନଙ୍କ ମଧ୍ୟରୁ ୧୫୦ଜଣ ୨୫ ବର୍ଷ ଧରି କାର୍ଯ୍ୟ କରିଥିବା ବେଳେ ଅବଶିଷ୍ଟ ୧୪ ଜଣ ୧୫ ବର୍ଷ ଧରି କ୍ରମାଗତ ଭାବେ ଓଏମ୍‌ସିରେ କାର୍ଯ୍ୟ କରିଛନ୍ତି। ସେହିପରି ସେମାନଙ୍କ ପ୍ରତିବଦ୍ଧତା ଓ ନିଃସ୍ବାର୍ଥପର ସେବାର ସ୍ବୀକୃତି ସ୍ବରୂପ ଭୁବନେଶ୍ୱରଠାରେ ନିଗମ ପକ୍ଷରୁ ଆୟୋଜିତ ଲଙ୍ଗ୍‌ ସର୍ଭିଂ ଆୱାର୍ଡ ସମାରୋହରେ ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ପୃକ୍ତ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଓଏମ୍‌ସିର ସାଧାରଣ ପରିଚାଳକ (କାର୍ମିକ ଓ ପ୍ରଶାସନ) ତଥା ବରିଷ୍ଠ ଓଏଏସ୍‌ ଅଧିକାରୀ ଅଶୋକ କୁମାର ବେହେରାଙ୍କ ସମେତ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ପୁରସ୍କାରପ୍ରାପ୍ତ କର୍ମଚାରୀମାନେ ନିଗମ ସମ୍ପର୍କରେ ନିଜ ନିଜର ଅଭିଜ୍ଞତା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ନିଗମର କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ କଲ୍ୟାଣ ପାଇଁ ବହୁବିଦ୍ଧ ପଦକ୍ଷେପ ନେଉଥିବାରୁ ସେମାନେ ଉଭୟ ଓଏମ୍‌ସି ଓ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ଓଏମ୍‌ସିର ବିଭିନ୍ନ ଖଣି ଅଞ୍ଚଳରେ ଥିବା କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ମଧ୍ୟ ଲଙ୍ଗ୍‌ ସର୍ଭିସ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ନିଗମ କ୍ରମାଗତ ଭାବେ କର୍ମଚାରୀଙ୍କ ଦକ୍ଷତା ବିକାଶ ଏବଂ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି। ଏହି ଲଙ୍ଗ୍‌ ସର୍ଭିସ୍‌ ଆଓ୍ବାର୍ଡ ତା’ ମଧ୍ୟରୁ ଅନ୍ୟତମ ବୋଲି ନିଗମ ପକ୍ଷରୁ କୁହାଯାଇଛି।

Share