Categories: ଖେଳ

ଭାରତର ଟପ୍‌ ଅର୍ଡର ଉପରେ ନଜର

ସିଡ୍‌ନୀ,୨୭ା୧୦(ପି.ଟି): ପାକିସ୍ତାନ ବିପକ୍ଷ ମ୍ୟାଚରେ କଡା ସଂଘର୍ଷପୂର୍ଣ୍ଣ ବିଜୟ ପରେ ଭାରତ ସୁପର-୧୨ର ଦ୍ୱିତୀୟ ଲିଗ୍‌ ମ୍ୟାଚରେ ନେଦରଲାଣ୍ଡ୍ସକୁ ଭେଟିବ। ଗୁରୁବାରର ମ୍ୟାଚ ପାଇଁ ଭାରତୀୟ ଟପ୍‌ ଅର୍ଡର ଉପରେ ସଭିଙ୍କ ନଜର ରହିଛି। ଭାରତୀୟ ଟପ୍‌ ଅର୍ଡର ବ୍ୟାଟର ଏହି ମ୍ୟାଚରେ ରନ୍‌ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଉଭୟ ଲୋକେଶ ରାହୁଲ, ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ବିଫଳ ହୋଇଥିଲେ।

ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇ ଦୀପକ ହୁଦା ଓ ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦଇ ପାରେ ଟିମ୍‌ ମ୍ୟାନେଜମେଣ୍ଟ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ଏହି ମ୍ୟାଚରେ ରନ୍‌ ସଂଗ୍ରହ କରି ଆତ୍ମବିଶ୍ୱାସରେ ରହିବାକୁ ଚାହିଁବ। ସେହିପରି ପ୍ରାଇମ ଫର୍ମରେ ରହିଥିବା ବିରାଟ କୋହଲିଙ୍କଠାରୁ ଏକ ଭଲ ଇନିଂସ ଆଶା କରିବ ଭାରତ। ଗ୍ରୁପ୍‌ ପର୍ଯ୍ୟାୟରେ ନେଦରଲାଣ୍ଡସର ବୋଲିଂ ବେଶ୍‌ ଭଲ ରହିଥିଲା। ଏପରିକି ସୁପର-୧୨ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ଡଚ୍‌ ବୋଲର ଭଲ ପ୍ରଦର୍ଶନ କରିଥିଲେ। ତେବେ ଉକ୍ତ ପିଚ୍‌ ଗୁଡିକ ବୋଲିଂ ପିଚ୍‌ ରହିଥିବା ବେଳେ ସିଡ୍‌ନୀର ପିଚ୍‌ ବ୍ୟାଟିଂ ଅନୁକୂଳ ରହିବ। ସିଡ୍‌ନୀରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦ରୁ ଅଧିକ ରନ୍‌ ସଂଗ୍ରହ କରିଥିବା ବେଳେ ଏହା ନେଦରଲାଣ୍ଡସ ପାଇଁ ସମସ୍ୟା ସୃଷ୍ଟି କରିବ। ତେବେ ଭାରତ କେବଳ ଟପ୍‌ ଅର୍ଡର ବ୍ୟାଟିଂ ନୁହେଁ ବରଂ ସ୍ପିନ୍‌ ବିଭାଗକୁ ନେଇ ଭାରତ ଚିନ୍ତାରେ ରହିବ। ଅକ୍ଷର ପଟେଲ ପାକିସ୍ତାନ ବିପକ୍ଷରେ ମାତ୍ର ଗୋଟିଏ ଓଭର ବୋଲିଂ କରିଥିବା ବେଳେ ୨୧ ରନ୍‌ ଦେଇଥିଲେ। ଅନ୍ୟ ପକ୍ଷରେ ଅଶ୍ୱିନ ମଧ୍ୟ ୩ ଓଭର ବୋଲିଂ କରିଥିଲେ।

ଏହି ମ୍ୟାଚରେ ଉଭୟ ବୋଲର ଫର୍ମକୁ ଫେରିବାକୁ ଚାହିଁବେ। ପେସ୍‌ ବୋଲିଂ ବିଭାଗରେ ଭାରତ କୌଣସି ପରିବର୍ତ୍ତନ ଚାହିଁବ ନାହିଁ। ଅନ୍ୟ ପକ୍ଷରେ ନେଦରଲାଣ୍ଡ ମଧ୍ୟ ରିଓଲ୍ଫ ଭାନ୍‌ ଡର ମରଓ୍ବେଙ୍କ ଆଘାତ ସମସ୍ୟାକୁ ନେଇ ଚିନ୍ତାରେ ରହିଛି। ପିଠିରେ ଆଘାତ କାରଣରୁ ସେ ଏହି ମ୍ୟାଚରୁ ବାଦ ପଡି ପାରନ୍ତି। ଦଳର ପେସ୍‌ ଆଟାକ୍‌ ଠିକ୍‌ ଥିଲେ ହେଁ ସ୍ପିନ୍‌ ବିଭାଗରେ ଦଳ ଦୁର୍ବଳ ମନେ ହେଉଛି। ପୂର୍ବତନ ୧୯ ବର୍ଷରୁ କମ୍‌ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟମ୍‌ କୁପର ଯିଏକ ବିଗ ବାସ ମଧ୍ୟ ଖେଳନ୍ତି ଭାରତ ପାଈଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।

Share