ନୂଆଦିଲ୍ଲୀ,୨।୨: ଚଳିତ ବର୍ଷ ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଥିବାବେଳେ ବଜେଟରେ ଏହି ରାଜ୍ୟକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଭାଷଣରେ ପଶ୍ଚିମବଙ୍ଗ ଜନ୍ମିତ ନୋବେଲ ପୁରସ୍କାରପ୍ରାପ୍ତ କବି ରବୀନ୍ଦ୍ରନାଥ ଟାଗୋରଙ୍କ କବିତା ପଢ଼ିବା ସହ ତାମିଲ କବି ତଥା ସନ୍ଥ ଥିରୁବଲୁଭରଙ୍କୁ ସମ୍ମାନ ଜଣାଇଥିଲେ। ଏଥିସହ ଉକ୍ତ ୪ ରାଜ୍ୟରେ ସଡ଼କ ଭିତ୍ତିଭୂମି କ୍ଷେତ୍ରକୁ ବଜେଟରେ ଗୁରୁତ୍ୱ ଦେଇଛନ୍ତି।
ତାମିଲନାଡୁରେ ୩,୫୦୦ କି.ମି. ଜାତୀୟ ରାଜପଥ ନିର୍ମାଣ ପାଇଁ ୧.୩ ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମଦୁରାଇ-କୋଲାମ କରିଡର, ଚିତୋର-ଥାଚ୍ଚର କରିଡର ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଚେନ୍ନାଇ ମେଟ୍ରୋ ରେଲଓ୍ବେ ନିମନ୍ତେ ୬୩ ହଜାର ୨୪୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପଶ୍ଚିମବଙ୍ଗରେ ୬୭୫ କି.ମି. ରାଜପଥ ନିର୍ମାଣ ସହ ସଡ଼କ ଭିତ୍ତିଭୂମି ପାଇଁ ୨୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମାଲ ପରିବହନ ପାଇଁ ଖଡଗପୁରରୁ ବିଜୟଓ୍ବାଡା ଇଷ୍ଟ କୋଷ୍ଟ କରିଡର ଏବଂ ଖଡଗପୁରରୁ ଡାନ୍କୁନି ଇଷ୍ଟ ଓ୍ବେଷ୍ଟ କରିଡର ପାଇଁ ଯୋଜନା କରାଯାଇଛି। ଉଭୟ ପଶ୍ଚିମବଙ୍ଗ ଓ ଆସାମ ଚା’ ଚାଷୀଙ୍କ ନିମନ୍ତେ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। କେରଳରେ ୬୫ ହଜାର କୋଟି ବ୍ୟୟରେ ଶହେ କିମି ଦୀର୍ଘ ଜାତୀୟ ରାଜପଥ ଓ ମୁମ୍ବାଇ-କନ୍ୟାକୁମାରୀ କରିଡରର ୬୦୦ କିମି ନିର୍ମାଣ ପାଇଁ ଘୋଷଣା କରାଯାଇଛି। କୋଚି ମେଟ୍ରୋ ରେଲ୍ଓ୍ବେ ଫେଜ୍-୨ ପ୍ରୋଜେକ୍ଟ ପାଇଁ ୧୯୫୭.୦୫ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ଆସାମରେ ଏବେ ପ୍ରାୟ ୧୯ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ରାଜ୍ୟ ପାଇଁ ଆହୁରି ୩୪ ହଜାର କୋଟି ଟଙ୍କା ବ୍ୟୟ ବରାଦ ରହିଛି। ଏହି ଅର୍ଥରେ ଆସନ୍ତା ୩ ବର୍ଷରେ ୧୩ ଶହ କି.ମି. ଜାତୀୟ ରାଜପଥ ନିର୍ମାଣ କରାଯିବ ବୋଲି ଘୋଷଣା ହୋଇଛି। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ/ମେ ମାସରେ ଉକ୍ତ ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
ପେପର ବଦଳରେ ଟାବ୍ଲେଟ୍ରୁ ପଢ଼ିଲେ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ପାରମ୍ପରିକ ପେପର ଡକ୍ୟୁମେଣ୍ଟ ବା କାଗଜ ବହି ବଦଳରେ ଭାରତରେ ନିର୍ମିତ ଟାବଲେଟରୁ ବଜେଟ ପଢ଼ିଛନ୍ତି। ଲାଲ ରଙ୍ଗର କଭ୍ରରେ ଅର୍ଥମନ୍ତ୍ରୀ ଟାବଲେଟ ଧରି ଭିତରକୁ ଯାଇଥିଲେ। ସ୍ବାଧୀନ ଭାରତରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ପେପରରେ ବଜେଟ ଆଗତ କରାଯାଇଛି। ବିନା କୌଣସି ବାଧାରେ ପାର୍ଲାମେଣ୍ଟ ସଦସ୍ୟଙ୍କ ସମେତ ସାଧାରଣ ଲୋକଙ୍କ ନିକଟରେ ବଜେଟ ଡକ୍ୟୁମେଣ୍ଟ ପହଞ୍ଚାଇବା ନିମନ୍ତେ ଅର୍ଥମନ୍ତ୍ରୀ ପୂର୍ବରୁ ‘ୟୁନିୟନ ବଜେଟ ମୋବାଇଲ ଆପ୍’ ଲଞ୍ଚ୍ କରିଥିଲେ। ଫ୍ରେଞ୍ଚ ଶବ୍ଦ ବଜେଟ୍ର ଅର୍ଥ ହେଉଛି ଚମଡ଼ା ବ୍ରିଫକେସ୍। ୧୯୪୭ରେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଆର୍. କେ. ଷଣ୍ମୁଗମ ଚେଟି ବଜେଟ ଆଗତ କରିବା ପାଇଁ ଏକ ଲେଦର ବା ଚମଡ଼ା ବ୍ରିଫ୍କେସ ଧରିଥିଲେ।
ଆଶା ଏକ ଏଭଳି ପକ୍ଷୀ…
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୧ ଘଣ୍ଟା ୫୧ ମିନିଟ୍ ଓ ୩୦ ସେକେଣ୍ଡର ବଜେଟ୍ ଅଭିଭାଷଣ ବେଳେ ଦୁଇ ମହାନ କବିଙ୍କ କବିତାର ୨ଟି ପଂକ୍ତି ଆବୃତ୍ତି ସହ ତାହାର ଅର୍ଥ ବୁଝାଇଥିଲେ। ମହାମାରୀ କରୋନା ସଂକଟ ଦେଇ ଗତି କରୁଥିବା ଦେଶବାସୀଙ୍କ ମନରେ ଆଶାର ନୂଆ କିରଣ ଜାଗ୍ରତ କରିବା ଉଦ୍ଦେଶ୍ୟରେ ପ୍ରଥମେ ସେ ପଶ୍ଚିମବଙ୍ଗର ବିଶିଷ୍ଟ କବି ରବୀନ୍ଦ୍ର ନାଥ ଟାଗୋରଙ୍କ କବିତା ପଢ଼ିଥିଲେ। ଅର୍ଥମନ୍ତ୍ରୀ କହିଥିଲେ, ରବୀନ୍ଦ୍ରନାଥ ଟାଗୋରଙ୍କ ଭାଷାରେ ‘ଆଶା ଏକ ଏଭଳି ପକ୍ଷୀ, ଯିଏ ଆଲୋକକୁ ଅନୁଭବ କରିପାରେ ଏବଂ ଅନ୍ଧାରରେ ମଧ୍ୟ ଚିକ୍ମିକ୍ କରୁଥାଏ’। ପରେ ସୀତାରାମନ ତାମିଲ କବି ସନ୍ଥ ତୀରୁବଲ୍ଲୁବରଙ୍କ କବିତାର ଏକ ପକ୍ତିଂ ‘ରାଜା ସିଏ, ଯିଏ ଧନର ସନ୍ଧାନ ଏବଂ ଅଧିଗ୍ରହଣ କରେ, ପରେ ଉନ୍ନତି ପାଇଁ ଏହାକୁ ସଂରକ୍ଷିତ ରଖେ ଏବଂ ବଣ୍ଟନ କରିଥାଏ’ ପଢ଼ିଥିଲେ। ଅର୍ଥମନ୍ତ୍ରୀ ତାମିଲ ଭାଷାରେ ଏହାକୁ ଆବୃତ୍ତି କରିବା ସହ ଇଂରାଜୀରେ ତାହାର ଅର୍ଥ ବୁଝାଇଥିଲେ। ସୀତାରାମନ କହିଥିଲେ, କବି ତୀରୁବଲ୍ଲୁବର କହିଛନ୍ତି କି, ‘ଏକ ଭଲ ଦେଶର ୫ଟି ଲକ୍ଷଣ ଥାଏ। ପ୍ରଥମେ ସେଠାରେ ରୋଗ ନ ଥାଏ, ଅର୍ଥ ଥାଏ, ଭଲ ଫସଲ ଉତ୍ପାଦନ ହୁଏ, ସର୍ବତ୍ର ଖୁସି ବିରାଜମାନ କରେ ଏବଂ ତାହା ସୁରକ୍ଷିତ ହୋଇଥାଏ’। ଅର୍ଥମନ୍ତ୍ରୀଙ୍କ ଏହି ଲାଇନକୁ ଏମ୍ପିମାନେ ପସନ୍ଦ କରିବା ସହ ଟେବୁଲ ବାଡେଇ ସମର୍ଥନ କରିଥିଲେ।
ପୂର୍ବାପେକ୍ଷା ସଂକ୍ଷିପ୍ତ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଚଳିତ ବଜେଟ ଅଭିଭାଷଣ ପୂର୍ବବର୍ଷ ଅପେକ୍ଷା ସଂକ୍ଷିପ୍ତ ଥିଲା। ଗତ ବଜେଟରେ ସେ ୨ ଘଣ୍ଟା ୪୦ ମିନିଟ୍ ଧରି ବିଭିନ୍ନ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ହେଲେ ଚଳିତ ଥର ଏହି ଅବଧି ରହିଥିଲା ୧ ଘଣ୍ଟା ୫୦ ମିନିଟ୍। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ବଜେଟ ଅଭିଭାଷଣ ୧୨ଟା ୫୦ରେ ଶେଷ ହୋଇଥିଲା। ଇତିହାସକୁ ଦେଖିଲେ ୧୯୭୦ ମସିହାରେ ଅର୍ଥମନ୍ତ୍ରୀ ଥିବା ସମୟରେ ଇନ୍ଦିରା ଗାନ୍ଧୀ ସବୁଠାରୁ କମ୍ ସମୟ ଅବଧିର ବଜେଟ ଉପସ୍ଥାପନା କରିଥିଲେ। ସେହିପରି ୨୦୧୪ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ୨ଘଣ୍ଟା ୧୦ ମିନିଟ୍ର ବଜେଟ ଉପସ୍ଥାପନ କରିଥିଲେ। ଶବ୍ଦକୁ ହିସାବ କରି ଦେଖିଲେ ୧୯୯୧ରେ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ଭାଷଣରେ ରହିଥିଲା ୧୮,୭୦୦ ଶବ୍ଦ। ସେହିପରି ମୋର୍ରାଜୀ ଦେଶାଇ ୧୦,୦୦୦ ଶବ୍ଦ ଏବଂ ଓ୍ବାଇ. ବି. ଚହ୍ବାନ ୯,୩୦୦ ଶବ୍ଦର ବଜେଟ ଉପସ୍ଥାପନ କରିଥିଲେ। ସୀତାରାମନ ୨୦୨୧-୨୨ ବଜେଟ ଅଭିଭାଷଣରେ ଟାକ୍ସ, ସ୍ବାସ୍ଥ୍ୟ, ଭିତ୍ତିଭୂମି ଶବ୍ଦକୁ ବହୁଥର ଉଚାରଣ କରିଛନ୍ତି। ଟାକ୍ସ ଶବ୍ଦକୁ ସେ ୪୬ ଥର, ଭିତ୍ତିଭୂମି ୩୭ ଥର ଏବଂ ୨୪ ଥର ସ୍ବାସ୍ଥ୍ୟ ଶବ୍ଦ ପଢ଼ିଥିଲେ।
ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ଯୋଜନା
କୋଭିଡ୍-୧୯ ମହାମାରୀର ଯନ୍ତ୍ରଣାକୁ ଭୁଲିପାରି ନାହାନ୍ତି ପ୍ରବାସୀ ଶ୍ରମିକ। ଜୀବିକା ହରାଇ ଗାଁମୁହଁ। ହେବା ହେଉ କି ଅନାହାରରେ ରାସ୍ତାରେ ଚାଲି ଚାଲି ଜୀବନ ହାରିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଦାଦନଙ୍କ ଦୁଃଖ ଲାଘବ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଉପସ୍ଥାପିତ ବଜେଟରେ ସେମାନଙ୍କ ପାଇଁ କେତେକ ଘୋଷଣା କରିଛନ୍ତି। ପ୍ରବାସୀଙ୍କ ସମେତ ଅନ୍ୟ ଅସ୍ଥାୟୀ ଶ୍ରମିକ କର୍ମଚାରୀଙ୍କୁ ସର୍ବନିମ୍ନ ବେତନ ପ୍ରଦାନ କରାଯିବ। ୨୦୧୫ରେ ଭାରତରେ ପରିବର୍ତ୍ତିତ ମଜୁରି ଦିନକୁ ୧୬୦ ଟଙ୍କା କରାଯାଇଛି। ପ୍ରଥମ ଥର ପାଇଁ ଅସ୍ଥାୟୀ, ଠିକା ତଥା ପ୍ଲାଟଫର୍ମ ଶ୍ରମିକଙ୍କ ନିମନ୍ତେ ସାମାଜିକ ସୁରକ୍ଷା ବ୍ୟବସ୍ଥା କରାଯିବ। ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ବେତନ ଲାଗୁ ସହ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍ଆଇ) ସୁବିଧା ମଧ୍ୟ ପ୍ରଦାନ କରାଯିବ। ଏହା ଦ୍ୱାରା ପ୍ରାୟ ୪୫୩ ମିଲିୟନ ପ୍ରବାସୀ ଶ୍ରମିକ ଲାଭବାନ ହେବେ। ଏଥିସହ ବସ୍ତିରେ ରହୁଥିବା ଶ୍ରମିକଙ୍କ ନିମନ୍ତେ ଶସ୍ତାରେ ଘର ଯୋଗାଯିବ।
ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ବଜେଟ ଅନୁକୂଳ
ଏଥର ବଜେଟ ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ନୂତନ ଆଶା ଓ ସୁଯୋଗ ନେଇ ଆସିଛି l ବିଶେଷ କରି ଆଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିିନ ଲର୍ନିଂ, ଡାଟା ସାଇନ୍ସ ତଥା ଇଣ୍ଟରନେଟ କ୍ଷେତ୍ରଗୁଡିକରେ ଅନେକ ସକାରାତ୍ମକ ଯୋଜନା ରହିଛି l ଷ୍ଟାର୍ଟଅପ କ୍ଷେତ୍ରପାଇଁ ମଧ୍ୟ ଟିକସ ରିହାତି ତଥା ଟିକସ ସରଳୀକରଣ ବ୍ୟବସ୍ଥା ଏହି ବଜେଟରେ ଦେଖିବାକୁ ମିଳିଛି। ଏହା ନିଶ୍ଚିତ ମାତ୍ରାରେ ପ୍ରାଦ୍ୟୋଗିକ କ୍ଷେତ୍ର ପାଇଁ ସହାୟକ ହେବ ବୋଲି ମୋର ଆଶା। ଜଣେ ଡାଟା ସାଇନ୍ସ ସ୍ପେସିଆଲିଷ୍ଟ ହିସାବରେ ମୁଁ ଆଗରୁ ମଧ୍ୟ କହିଆସିଛି ଯେ ଡାଟା ହେଉଛି ନୂତନ ଇନ୍ଧନ। ବେସରକାରୀ କ୍ଷେତ୍ରକୁ ସାରା ଦେଶରେ ଡାଟା ସେଣ୍ଟର୍ ପାର୍କ ନିର୍ମାଣ ସକ୍ଷମ କରିବାକୁ ନୀତି ଖୁବ୍ ଶୀଘ୍ର ଆରମ୍ଭ ହେବ l ଅଙ୍ଗନୱାଡି, ଗ୍ରାମ ପଞ୍ଚାୟତ ଏବଂ ପୋଲିସ ଷ୍ଟେଶନ ପରି ତୃଣମୂଳ ସ୍ତରରେ ଥିବା ସମସ୍ତ ଅନୁଷ୍ଠାନକୁ ଡିଜିଟାଲ ସେବା ସଂଯୋଗ ଯୋଗାଇ ଦିଆଯିବ।ଉତ୍ପାଦନ କ୍ଷେତ୍ରରେ ନୂତନ କମ୍ପାନୀଗୁଡିକ ପାଇଁ କର୍ପୋରେଟ ଟିକସ ହାରକୁ ୧୫ ପ୍ରତିଶତକୁ ହ୍ରାସ କରିବାର ନିଷ୍ପତ୍ତି ସ୍ବାଗତଯୋଗ୍ୟ।– ଡ.ଷ୍ଟାଲିନ ମିଶ୍ର, ସୂଚନା ପ୍ରଯୁକ୍ତିବିତ
ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ସେଭଳି ବ୍ୟୟ ବରାଦ ନାହିଁ
ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୩,୨୨୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି,ଯାହା କି ଗତ ବର୍ଷର ବଜେଟ(୯୯,୩୨୨ କୋଟି ଟଙ୍କା) ବରାଦଠାରୁ କମ୍। ଦେଶରେ ବେସରକାରୀ ସଂସ୍ଥାଗୁଡ଼ିକ ସହାୟତାରେ ୧୦୦ଟି ନୂଆ ସୈନିକ ସ୍କୁଲ ଖୋଲିବା ପାଇଁ ଘୋଷଣା କରାଯାଇଛି। ନୂତନ ଶିକ୍ଷା ନୀତି ଲାଗୁ କରିବା ପାଇଁ କେତେକ ପଦକ୍ଷେପ ନିଆଯାଇଛି। ତନ୍ମଧ୍ୟରୁ ଉଚ୍ଚଶିକ୍ଷା ଆୟୋଗ ଗଠନ କରିବା ପାଇଁ ଘୋଷଣା, ଗୋଟିଏ ସହରରେ ଥିବା ଅନେକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନକୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ସଂଯୋଗ ଆର୍ଥିକ ସହାୟତା, ଜାତୀୟ ଗବେଷଣା ଫାଉଣ୍ଡେଶନ, ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ ସ୍ବତନ୍ତ୍ର ଅନୁଦାନ ଘୋଷଣା କରାଯାଇଛି। ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଲେହରେ ଏନ ନୂତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଅର୍ଥ ବରାଦ କରାଯାଇଛି। ପୂର୍ବରୁ ପ୍ରତିଷ୍ଠା ହୋଇଥିବା ୭୫୦ଟି ଏକଲବ୍ୟ ବିଦ୍ୟାଳୟ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରାଯାଇଛି। ସେହିପରି ଛାତ୍ରବୃତ୍ତିକୁ ପୁନର୍ବିନ୍ୟାସ କରାଯାଇଛି। କୌଶଳ ବିକାଶ କ୍ଷେତ୍ରରେ ଜାପାନ ଓ ସମ୍ମିଳିତ ଆରବ ଦେଶଗୁଡ଼ିକ ସହ ଭାଗୀଦାରି ଘୋଷଣା କରାଯାଇଛି। କରୋନା ମହାମାରୀ ସମୟରେ ଅନ୍ଲାଇନ ଶିକ୍ଷା ବ୍ୟବସ୍ଥାରେ ଥିବା ଦୁର୍ବଳ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ସେହିପରି ନୂତନ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ଯଥେଷ୍ଟ ଆର୍ଥିକ ଅନୁଦାନ ବରାଦ କରାଯାଇନାହିଁ।– ଡ. ଅମରେନ୍ଦ୍ର ଦାସ, ଆସିଷ୍ଟାଣ୍ଟ ପ୍ରଫେସର, ନାଇଜର
ବଜେଟ ସ୍ଲୋଗାନ ମଧ୍ୟରେ ସୀମିତ
ବଜେଟ ସ୍ଲୋଗାନ ମଧ୍ୟରେ ସୀମିତ ରହିଯାଇଛି। ଏକଥା କେହି ଅସ୍ବୀକାର କରିବେ ନାହିଁ ଯେ ଅର୍ଥନୀତି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ବଜେଟରେ ଆତ୍ମନିର୍ଭର କଥା ପୁଣି କୁହାଯାଇଛି। କିନ୍ତୁ ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର, ତାହାର ଘରୋଇକରଣ, ବୀମା ପରି ଲାଭଦାୟକ କ୍ଷେତ୍ରରେ ଏଫଡିଆଇ ସୀମା ବୃଦ୍ଧି କିପରି ଆତ୍ମନିର୍ଭର ଭାରତ ଗଠନରେ ସାହାଯ୍ୟ ହେବ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।– ଡ଼ ସନ୍ତୋଷ କୁମାର ମହାପାତ୍ର, ସ୍ତମ୍ଭକାର
ବ୍ୟାଙ୍କ ଜମାକାରୀଙ୍କୁ ବଜେଟରୁ ଭରସା ମିଳିଛି
ଏହି ବଜେଟର ପ୍ରଭାବ ବ୍ୟାକିଙ୍ଗ କ୍ଷେତ୍ରରେ କିଛିଟା ରହିବ। ୨୦,୦୦୦ କୋଟି ଟଙ୍କାର ରିକ୍ୟାପିଟାଲାଇଜେଶନ ପ୍ରସ୍ତାବ, ବ୍ୟାଙ୍କଗୁଡ଼ିକୁ ଅଧିକ ଆସେଟ ବା ଋଣ ଦେବା ପାଇଁ ପ୍ରୋତ୍ସାହିତ କରିବ। ସେହିପରି ବ୍ୟାଙ୍କଗୁଡ଼ିକ ଏନ୍ବିଏଫ୍ସିମାନଙ୍କୁ ଅଧିତ୍କ ଋଣ ଯୋଗାଇବା ପ୍ରସ୍ତାବ ବ୍ୟାକିଙ୍ଗ କ୍ଷେତ୍ରରେ ଲାଭବାନ ହେବ। ଗୃହଋଣ କ୍ଷେତ୍ରରେ ବଜେଟର ପ୍ରସ୍ତାବ ସ୍ବାଗତଯୋଗ୍ୟ। ଯଥା ସରକାର ଏନ୍ଏଚ୍ବିଠାରୁ ହାଉସିଂ ଲୋନ ରେଗୁଲେଟିଂ ଅଥରିଟି କାଢିନେଇ ଆର୍ବିଆଇକୁ ହସ୍ତାନ୍ତର କରିବା, ସେହିପରି ସେଲ୍ଫ ଅକ୍ୟୁପାଇଡ ହାଉସ ଓନରମାନେ ଗୃହ ଋଣ କ୍ଷେତ୍ରରେ ୩.୫ ଲକ୍ଷ ଯାଏ ଟିକସ ରିହାତି ଯୋଗୁ ଅଧିତ୍କ ଋଣ ନେବା ପାଇଁ ପ୍ରୋତ୍ସାହିତ ହେବେ, ଯାହାକି ବ୍ୟାଙ୍କଗୁଡ଼ିକର ଏଚ୍ଏଲ୍ ସେଗ୍ମେଣ୍ଟ ବୃଦ୍ଧିରେ ସହାୟକ ହେବ। କିନ୍ତୁ ପର୍ସନାଲ ଲୋନ ଏବଂ କୃଷି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକୁ ବଜେଟ ସେମିତି କିଛି ସହାୟକ ହେବ ନାହିଁ। ବ୍ୟାଙ୍କର ଜମାକାରୀମାନଙ୍କୁ ଏହି ବଜେଟରୁ କିଛିଟା ଭରସା ମିଳିଛି। – ବ୍ରଜକିଶୋର ନାୟକ, ନିର୍ଦ୍ଦେଶକ, ଏସ୍ବିଆଇ ଆର୍ଥିକ ସାକ୍ଷରତା ପରିଷଦ
ଆଶଙ୍କା ଦୂର ହେବ ବୋଲି ଆଶା
ଏପିଏମ୍ସି ଆଇନକୁ ଦୁର୍ବଳ କୃଷି ବିଲ୍ କରିବ ବୋଲି କୃଷକନେତାମାନେ କହୁଥିବାବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଭିତ୍ତିଭୂମି ବିକାଶ ପାଇଁ ଯେଉଁ ଏକଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି ସେଥିରୁ ଏପିଏମ୍ସିର ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହୋଇପାରିବ। ପୁନଶ୍ଚ କୃଷି କ୍ଷେତ୍ରର ବିକାଶ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ବସାଯାଇଛି। ଖାଉଟିମାନେ ଆତଙ୍କିତ ହୋଇପଡ଼ିଥିଲେ,ସେମାନଙ୍କ ଉପରେ ଏହି ସେସ୍ ପଡ଼ିବ। କିନ୍ତୁ ଅର୍ଥମନ୍ତ୍ରୀ ତା’ର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ,ଏହା ଖାଉଟିମାନଙ୍କ ଉପରେ ପଡ଼ିବ ନାହିଁ, ତାହା ଆଭ୍ୟନ୍ତରୀଣ ଭିତ୍ତିରେ ଆଦାୟ ହେବ।– ନଟବର ଖୁଣ୍ଟିଆ, କୃଷି ବିଶେଷଜ୍ଞ
କର୍ମନିଯୁକ୍ତିର କୌଣସି ବ୍ୟବସ୍ଥା ନାହିଁ
୨୦୨୧-୨୨ ବଜେଟରେ କିଛି ନୂତନତ୍ୱ ନାହିଁ । ସରକାରଙ୍କ ଅର୍ଥନୈତିକ ସର୍ଭେ ଦାରିଦ୍ର୍ୟ ଦୂରୀକରଣ ଓ ଅର୍ଥନୈତିକ ବୈଷମ୍ୟକୁ ଦୂର କରିବା ପାଇଁ ଅଗ୍ରାଧିକାର ଦେଇଥିତ୍ଲାବେଳେ ଚଳିତ ବଜେଟରେ ଏହି ଦିଗ ପ୍ରତି ଦୃଷ୍ଟି ଦିଆଯାଇନାହିଁ। ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟର ବୃଦ୍ଧି ଯାହା କରାଯାଉଛି, ତାହା ଅତି ସାମାନ୍ୟ। କରୋନା ମହାମାରୀ ଓ ଟିକାକରଣରେ ଖର୍ଚ୍ଚକୁ ଏଥିରେ ଯୋଡାଯାଇଛି। ସରକାରୀ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ପାଇଁ କିଛି ବ୍ୟବସ୍ଥା ନାହିଁ। ଅଧିକ କର୍ମନିଯୁକ୍ତିର କୌଣସି ବ୍ୟବସ୍ଥା ନାହିଁ।– କିଶୋର ଜେନା, ପ୍ରାବନ୍ଧିକ
କରୋନା ମହାମାରୀ ସମୟରେ ଏହି ବଜେଟ ପ୍ରସ୍ତୁତ କରିବା ନିଶ୍ଚିତ ରୂପେ ଏକ ଜଟିଳ କାମ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ସର୍ବସ୍ପର୍ଶୀ ବଜେଟ ଉପସ୍ଥାପନ କରିଛନ୍ତି। ଏହା ଆମତ୍ନିର୍ଭର ଭାରତ, ୫ ଟ୍ରିଲିୟନ୍ ଡଲାରର ଅର୍ଥନୀତି ଓ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ସଂକଳ୍ପର ମାର୍ଗକୁ ପ୍ରଶସ୍ତ କରିବ। କ୍ଷମତାକୁ ଆସିବା ଦିନଠାରୁ ମୋଦି କୃଷକଙ୍କ କଲ୍ୟାଣ ଓ ସେମାନଙ୍କ ଆୟ ଦୁଇଗଣା କରିବା ଲାଗି ନିଜକୁ ସମର୍ପିତ କରିଛନ୍ତି। ଫସଲ ଉତ୍ପାଦନରେ ଚାଷୀ ବ୍ୟୟ କରୁଥିବା ଅର୍ଥର ଦେଢ଼ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଦିଆଯାଉଛି। ଚାଷୀଙ୍କୁ ସହଜରେ ଯେପରି କୃଷି ଋଣ ମିଳିପାରିବ ବଜେଟରେ ୧୬.୫ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।– ଅମିତ ଶାହା, ସ୍ବରାଷ୍ଟ୍ରମନ୍ତ୍ରୀ
ସାଧାରଣ ବଜେଟ ‘ଆତ୍ମନିର୍ଭର ଭାରତ’ ପାଇଁ ଉଦ୍ଦିଷ୍ଟ। ଏହା ଅର୍ଥନୀତିକୁ ମଜଭୁତ କରିବ। ଲୋକେ କେବେ ବି ଆଶା କରି ନ ଥିଲେ ଯେ ଏଭଳି ସମୟରେ ଏପରି ଏକ ବଜେଟ ଆଗତ କରାଯିବ। ଏହାର ଯେତେ ପ୍ରଶଂସା କରାଯିବ ତାହା କମ୍। ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ ମଞ୍ଜୁରୀ ମିଳିଛି।– ରାଜନାଥ ସିଂ, ପ୍ରତିରକ୍ଷାମନ୍ତ୍ରୀ
କରୋନା ମହାମାରୀ ଏବଂ ରାଜସ୍ବ ସଂଗ୍ରହରେ ହ୍ରାସ ସତ୍ତ୍ୱେ କେନ୍ଦ୍ର ସରକାର ଏକ ସନ୍ତୁଳିତ ବଜେଟ ଆଣିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ୭ ମେଗା ଟେକ୍ଷ୍ଟାଇଲ ପାର୍କ ଆସନ୍ତା ୩ ବର୍ଷରେ ନିର୍ମାଣ ପାଇଁ ଯୋଜନା ରହିଛି ଯାହାଦ୍ୱାରା ରୋଜଗାର ମିଳିବ। ସୋଲାର ପାଓ୍ବାର ଏବଂ ନବୀକରଣଯୁକ୍ତ ଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି, ଯାହା ବେଶ୍ ସ୍ବାଗତଯୋଗ୍ୟ। – ନୀତୀଶ କୁମାର, ବିହାର ମୁଖ୍ୟମନ୍ତ୍ରୀ
ଲୋକଙ୍କ ହାତରେ ଟଙ୍କା ଦେବାକୁ ମୋଦି ସରକାର ଭୁଲିଯାଇଛନ୍ତି। ସେ ଭାରତର ସମ୍ପତ୍ତିକୁ ତାଙ୍କ ପୁଞ୍ଜିପତି ବନ୍ଧୁଙ୍କ ହାତକୁ ଟେକି ଦେବାକୁ ଚାହାନ୍ତି।– ରାହୁଲ ଗାନ୍ଧୀ, କଂଗ୍ରେସ ନେତା
ଏହି ଭାଜପା ସରକାର ମୋତେ ସେହି ଗ୍ୟାରେଜ ମେକାନିକ୍ଙ୍କ କଥା ସ୍ମରଣ କରାଇଛନ୍ତି, ଯିଏ ନିଜ କ୍ଲାଏଣ୍ଟଙ୍କୁ କହିଥିଲେ-‘ମୁଁ ଆପଣଙ୍କ ବ୍ରେକ୍ ଠିକ୍ କରିପାରିଲିନି। ସେଥିପାଇଁ ଆପଣଙ୍କ ଗାଡ଼ିର ହର୍ନ ଧ୍ୱନି ବଢ଼ାଇଦେଇଛି।– ଶଶୀ ଥରୁର, ବରିଷ୍ଠ କଂଗ୍ରେସ ନେତା
କେବଳ ଭାରତ ନୁହେଁ ସାରା ବିଶ୍ୱକୁ ପ୍ରଭାବିତ କରିଛି। ଏହା ସତ୍ତ୍ୱେ ଏକ ସନ୍ତୁଳିତ ବଜେଟ ଆଗତ ହୋଇଛି। ଏଥିରେ ସମସ୍ତ ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି।– ଚିରାଗ ପାଶ୍ୱାନ, ଏଲ୍ପିଜି ନେତା
ଆତ୍ମନିର୍ଭର ଭାରତ ନାଁରେ ଭାଜପା ଦେଶବାସୀଙ୍କୁ ବିଭ୍ରାନ୍ତରେ ପକାଇଚାଲିଛି। ଚଳିତ ବଜେଟରେ ମଧ୍ୟ ତାହା ପ୍ରତିଫଳନ ହୋଇଛି। ମହମାରୀବେଳେ ବଜେଟରୁ ଅନେକ କିଛି ଦେଶବାସୀ ଆଶା ରଖିଥିଲେ ବି କେନ୍ଦ୍ର ସରକାର ସେମାନଙ୍କୁ ନିରାଶ କରିଛନ୍ତି। ୨ ମାସରୁ ଅଧିକ ସମୟ ଧରି ଆନ୍ଦୋଳନ କରୁଥିବା କୃଷକଙ୍କ ପାଇଁ ଏଥିରେ କିଛି ବି ବ୍ୟବସ୍ଥା କରାଯାଇନାହିଁ। ପ୍ରଧାନମନ୍ତ୍ରୀ କେବଳ ଗୋଟିଏ ପରେ ଗୋଟିଏ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭଣ୍ଡାଇ ଚାଲିଛନ୍ତି। ଯୁବବର୍ଗ, ଗରିବ ଓ ମଧ୍ୟମବର୍ଗ ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ।– କମଲନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରଦେଶ
ଦେଶକୁ ବିକିବା ଲକ୍ଷ୍ୟରେ ଭାଜପା ସରକାର ବଜେଟ ଆଣିଛନ୍ତି। ଏଥିରେ ସରକାରୀ ପ୍ରତିଷ୍ଠାନ ଓ ସମ୍ପତ୍ତି ବିକ୍ରି ପାଇଁ ରାସ୍ତା ବାହାର କରାଯାଇଛି। ଟ୍ରେନ୍, ରେଲଓ୍ବେ ଷ୍ଟେଶନ, ବିଏସ୍ଏନ୍ଏଲ୍, ଏଲ୍ଆଇସି ପରେ ଏବେ ବ୍ୟାଙ୍କ, ବନ୍ଦର, ବିଦ୍ୟୁତ୍ ଲାଇନ, ଜାତୀୟ ସଡ଼କ, ଷ୍ଟାଡିୟମ, ତେଲ ପାଇପଲାଇନ ମଧ୍ୟ ବିକି ଦେବାକୁ ଭାଜପା ନିଷ୍ପତ୍ତି ନେଇଛି।– ତେଜସ୍ବୀ ଯାଦବ, ଆର୍ଜେଡି ନେତା
ଏହା ଜନତା ବିରୋଧୀ ବଜେଟ। ଭାରତର ପ୍ରଥମ ପେପରଲେସ୍ ବଜେଟ ପ୍ରାୟ ସବୁ କ୍ଷେତ୍ରକୁ ବିକ୍ରି କରିଦେଇଛି। ଅଣସଙ୍ଗଠିତ କ୍ଷେତ୍ର ପାଇଁ ଏଥିରେ କିଛି ନାହିଁ।– ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ବ୍ୟୟ ବରାଦ ବଢ଼ାଇଥିବା କହୁଛନ୍ତି। କିନ୍ତୁ ପ୍ରକୃତରେ ଏଥିରେ କୌଣସି ବୃଦ୍ଧି କରାଯାଇନାହିଁ। ମୁଦ୍ରାସ୍ଫୀତି ସହ ତୁଳନା କଲେ ଏହି ବର୍ଦ୍ଧିତ ପାଣ୍ଠି ଶୂନ ସହ ସମାନ।– ପି. ଚିଦାମ୍ବରମ, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ
ଏହି ବଜେଟ ଆତ୍ମନିର୍ଭର ଭାରତ ସହ ଦେଶର ପ୍ରତ୍ୟେକ ବର୍ଗ ଏବଂ ପ୍ରତି କ୍ଷେତ୍ରରେ ପ୍ରଗତି ଆଣିବ। ନିବେଶକମାନଙ୍କ ପାଇଁ ଏହା ଉତ୍ସାହଜନକ ହୋଇଥିବାବେଳେ ଉଦ୍ୟୋଗ ସମେତ ବିଭିନ୍ନ ଇନ୍ଫ୍ରାଷ୍ଟ୍ରକଚର କ୍ଷେତ୍ରରେ ଏହା ସକାରାତ୍ମକ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ। – ପୀୟୂଷ ଗୋଏଲ, କେନ୍ଦ୍ରମନ୍ତ୍ରୀ