ସୃଷ୍ଟିର ନିୟମ ଅନୁସାରେ ପ୍ରତିଟି କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ମଣିଷ ପର୍ଯ୍ୟନ୍ତ ସଭିଙ୍କର ଜୀବନଶୈଳୀ ବିଭିନ୍ନ ବୟସରେ ଭିନ୍ନ ଭିନ୍ନ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସରେ ମଣିଷ ସହିତ ଅନ୍ୟ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ସୃଷ୍ଟି ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହାଦ୍ୱାରା ସନ୍ତାନ ଉତ୍ପାଦନ ସମ୍ଭବ ହୋଇଥାଏ। ଡାରଉଇନ୍ଙ୍କ ଜୈବ ବିବର୍ତ୍ତନବାଦ ଅନୁସାରେ ଏହି ପ୍ରକ୍ରିୟା ହିଁ ଜୀବ ସୃଷ୍ଟିର ମୁଖ୍ୟ ଆଧାର। ତେବେ ଏକ ନିର୍ଦ୍ଦିଷ୍ଟ ବୟସରେ ହିଁ ଏଭଳି ଶାରୀରିକ ଏବଂ ମାନସିକ ସ୍ଥିତ ସୃଷ୍ଟି ହୋଇଥାଏ। ଏହି ବୟସ ପୂର୍ବରୁ କିମ୍ବା ପରେ ବିପରୀତ ଲିଙ୍ଗଙ୍କ ସହିତ ମିଳନ ପାଇଁ ପ୍ରାଣୀଙ୍କ ମଧ୍ୟରେ ସେତେଟା ଉନ୍ମାଦନା ସୃଷ୍ଟି ହୋଇ ନ ଥାଏ । ସମାଜତତ୍ତ୍ୱ ଅନୁସାରେ ୧୩ ବର୍ଷ ବୟସ ପରେ ମଣିଷଙ୍କ ମଧ୍ୟରେ ସାଥୀ ପ୍ରତି ଏକ ଅହେତୁକ ଭାବନା ଜାଗ୍ରତ ହୋଇଥାଏ। ମନ ସାଥୀ ଖୋଜିବା ସହିତ ଆଖିରୁ ନିଦ ବି ହଜିଯାଏ। ଏହି ବୟସଠାରୁ ସେକ୍ସ ହରମୋନର କ୍ଷରଣ ହେବା ଆରମ୍ଭ ହୋଇଥାଏ। ଫଳରେ ଉଭୟ କିଶୋରୀ ଓ କିଶୋର ପ୍ରଜନନ କ୍ଷମତା ହାସଲ କରିଥାନ୍ତି। କିଶୋରୀଙ୍କଠାରେ ଇଷ୍ଟ୍ରୋଜେନ ହରମୋନ୍ କ୍ଷରଣ ହେବାଯୋଗୁ ଗର୍ଭାଶୟ, ଡିମ୍ବାଣୁ ଓ ପ୍ରଜନନ ଆଦି ଅଙ୍ଗର ବିକାଶ ହୋଇଥାଏ। ସେହିପରି କିଶୋରଙ୍କ କ୍ଷେତ୍ରରେ ଏହି ବୟସଠାରୁ ଟେଷ୍ଟୋଷ୍ଟରନ୍ ହରମୋନ୍ କ୍ଷରଣ ହୋଇଥାଏ। ଫଳରେ ଶୁକ୍ରାଣୁ ସହିତ ଅନ୍ୟ ପାରିପାର୍ଶ୍ୱିକ ପ୍ରଜନନ ସ୍ଥିତିରେ ବିକାଶ ହୁଏ। ସମାନ ଅବସ୍ଥା କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ବି ଦୃଷ୍ଟି ଗୋଚର ହୋଇଥାଏ। ଏହାକୁ କେହି ନ ଶିଖାଇଲେ ବି ଏହା ପ୍ରକୃତି ଦ୍ୱାରା ଆପେଆପେ ଉତ୍ପନ୍ନ ହୋଇଥାଏ ବୋଲି ଜୈବ ବିବର୍ତ୍ତନବାଦରେ ଉଲ୍ଲେଖ କରାଯାଇଛି।