Categories: ଜାତୀୟ

ଏବିଜି ଶିପ୍‌ୟାର୍ଡ ଅଧିକାରୀଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ

ନୂଆଦିଲ୍ଲୀ,୧୬ା୨: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତ ଏବିଜି ଶିପ୍‌ୟାର୍ଡ କମ୍ପାନୀର ମୁଖ୍ୟ ତଥା ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍‌ ଆଉଟ ନୋଟିସ ଜାରି କରାଯାଇଛି। ସେମାନେ ଯେପରି ଦେଶ ଛାଡ଼ି ଯାଇ ନ ପାରିବେ, ସେଥିପାଇଁ ପୋଲିସ ଓ ସୁରକ୍ଷା କର୍ମୀମାନେ ବିମାନବନ୍ଦର ଏବଂ ସୀମାନ୍ତ ଘାଟି ଉପରେ ନଜର ରଖିବାକୁ କୁହାଯାଇଛି।
ଦେଶର ୨୮ ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଋଣ ନେଇ ଠକିବା ଅଭିଯୋଗରେ ସିବିଆଇ ଶନିବାର ଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଋଷି କମଳେଶ ଅଗ୍ରଓ୍ବାଲଙ୍କ ସମେତ ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ୍‌ ମୁଥାସ୍ବାମୀ ଏବଂ ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରଓ୍ବାଲ ଓ ରବି ବିମଳ ନେଭେଟିଆଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏସ୍‌ବିଆଇ ପକ୍ଷରୁ ୨୦୧୯ ନଭେମ୍ବର ୮ରେ ଠକେଇ ସମ୍ପର୍କରେ ଏତଲା ଦିଆଯାଇଥିଲା। ଯାଞ୍ଚ ପରେ ସିିବିଆଇ ଗତ ୭ ତାରିଖରେ ଏଫ୍‌ଆଇଆର୍‌ କରିଥିଲା। ଶନିବାର ସୁରଟ, ଭାରୁଚ, ମୁମ୍ବାଇ ଓ ପୁଣେ ସମେତ ୧୩ଟି ସ୍ଥାନରେ ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଦସ୍ତାବିଜ ଜବତ ହୋଇଥିଲା। ସେହିପରି ଏବିଜି ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ ବିରୋଧରେ ମଧ୍ୟ ଆପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସଭଙ୍ଗ ଓ ପଦର ଦୁରୁପଯୋଗ ଅଭିଯୋଗରେ ଆଇପିସିର ବିଭିନ୍ନ ଦଫା ଏବଂ ଦୁର୍ନୀତି ନିବାରଣ ଆଇନ ବଳରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ନୀରବ ମୋଦି, ମେହୁଲ ଚୋକ୍‌ସି, ବିଜୟ ମାଲ୍ୟା ଦେଶ ଛାଡ଼ି ପଳାଇଯାଇଥିବାବେଳେ ଏବିଜି ଶିପ୍‌ୟାର୍ଡ ଠକେଇ ମାମଲାରେ ଯେପରି ଅଭିଯୁକ୍ତମାନେ ବିଦେଶ ଯାଇ ନ ପାରନ୍ତି, ସେଥିପାଇଁ ଲୁକ୍‌ଆଉଟ ସର୍କୁଲାର ଜାରି ହୋଇଛି।

Share