ସୁନା ବ୍ୟବସାୟୀଙ୍କଠାରୁ ଚୋରିକରି ପଳାଉଥିଲେ ଡ୍ରାଇଭର

ଦେବଗଡ଼,୧୯ା୫(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗର ଜଣେ ସୁନା ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୧୦ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଡ୍ରାଇଭରଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛିି। ତାଙ୍କ ନାମ ମୁକୁଳ ସନ୍ତୋଷ ଦାଶ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ସେନ ନାମକ ଜଣେ ସୁନା ବ୍ୟବସାୟୀ ବୁଧବାର ୭ଲକ୍ଷ ଟଙ୍କା ନେଇ ଏକ କାର ନଂ. ଏମ୍‌ଏଚ୍‌ ୦୩-ଏଏଚ୍‌ ୫୦୦୫ ଯୋଗେ ମୁମ୍ବାଇରୁ ଫେରୁଥିଲେ। ମାତ୍ର ରାତି ହୋଇଯିବାରୁ ସେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ କାର ଅଟକାଇବା ସହ ଖିଆପିଆ ସାରି କାର ମଧ୍ୟରେ ଶୋଇ ପଡ଼ିଥିଲେ। ଗୁରୁବାର ସକାଳୁୁ ଉଠି ଦେଖିବା ବେଳକୁ କାର ଚାଳକ ଏବଂ କାରରେ ଥିବା ୭ ଲକ୍ଷ ୧୦ ହଜାର ଟଙ୍କା ଉଭାନ ହୋଇଯାଇଛି। ଏ ନେଇ ନିର୍ମଳ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ତୁରନ୍ତ କାର ଚାଳକଙ୍କ ମୋବାଇଲ ଟ୍ରାକିଂ କରି ତାଙ୍କୁ ପିଛା କରିଥିଲା। ବାରକୋଟ ଥାନା ଅନ୍ତର୍ଗତ କଲା ଟୋଲ୍‌ ଗେଟ ନିକଟରୁ ତାଙ୍କୁ ଗିରଫ କରି ଦେବଗଡ଼ ଥାନାକୁ ଆଣିଥିଲା। ଏଥିସହ ତାଙ୍କ ନିକଟରୁ ବ୍ୟବସାୟୀଙ୍କର ୭ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି।

Share