ଘରେ ପଶି ବୁଲାଇଲେ କଳାକନା, ନେଇଗଲେ ଝିଅ ବାହାଘର ପାଇଁ ଥିବା ଅଳଙ୍କାର

ଖଇରା,୯।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଗୋଳିହା ଗ୍ରାମର ୨ଟି ପରିବାରୁ ଚୋରି ହୋଇଛି। ଗ୍ରାମର ମହେଶ୍ବର ନାୟକ ଓ ତାଙ୍କ ଭାଇ ଉଦୟ ନାୟକଙ୍କ ସପରିବାର ଘରେ ନ ଥିବା ବେଳେ ଏହାର ସୁଯୋଗ ନେଇ ଚୋର କଳାକନା ବୁଲାଇଛନ୍ତି। ମହେଶ୍ବର ନାୟକ ଶିକ୍ଷକତା କରୁଥିବା ବେଳେ ପରିବାର ସହ କାର୍ଯ୍ୟସ୍ଥଳି ନୁଆପଡାରେ ରୁହନ୍ତି। ଚୋରମାନେ କବାଟ ଭାଙ୍ଗି ଝିଅ ବାହାଘର ପାଇଁ ରଖାଯାଇଥିବା ୧୦ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି।
ସେହିଭଳି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ ଓ ତାଙ୍କ ସ୍ତ୍ରୀ ଘରେ ତାଲା ଦେଇ ବାଲେଶ୍ବର ଯାଇଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ଚୋରମାନେ ତାଙ୍କ ଘରୁ ମଧ୍ୟ ଅଳଙ୍କାର ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇଛନ୍ତିା ଖଇରା ପୋଲିସ ଶୁକ୍ରବାର ସକାଳେ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଥିବା ବେଳେ ସାଇଣ୍ଟିଫିକଟିମ୍‌ ଆସିବା ପରେ କିଛି ସୁରାକ ହୁଏତ ମିଳିପାରେ ବୋଲି ପୋଲିସ ଆଶାବ୍ୟକ୍ତ କରିଛି।