ନୂଆ ଷ୍ଟାଇଲରେ ମାଲିକଙ୍କ ଆଖି ଆଗରେ ଲୁଟ୍‌

ଝାରସୁଗୁଡା ଅଫିସ୍‌,୪।୪: ନିଜକୁ ଆୟକର ବିଭାଗ ଅଧିକାରୀ ପରିଚୟ ଦେଇ ଝାରସୁଗୁଡା ସହରରେ ଥିବା ଓମ୍‌ ସାଇରାମ ଜୁଏଲେରୀରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ କରିଛନ୍ତି। ଏ ନେଇ ଦୋକାନ ମାଲିକ ମୁରଲୀଧର ସାକୁନିଆ ଶନିବାର ଝାରସୁଗୁଡା ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ.୧୮୨/୨୧) ରୁଜୁ କରି ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଚଳାଇଛି ।
ପୋଲିସ ସୂଚନା ଅନୁସାରେ, ଗତ ମଙ୍ଗଳବାର ଜଣେ ବ୍ୟକ୍ତି ଏକ କାର୍‌ରେ ଓମ୍‌ ସାଇରାମ ଜୁଏଲେରୀକୁ ଆସିଥିଲେ। ସେ ହାଇଦ୍ରାବାଦରେ ଆୟକର ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ସେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମକୁ ଆସିଛନ୍ତି। ଏନେଇ ସୁନା ଅଳଙ୍କାର କିଣିବାର ଅଛି ବୋଲି ଦୋକାନ ମାଲିକଙ୍କୁ କହିଥିଲେ। ଦୋକାନୀ ତାଙ୍କୁ ବିଭିନ୍ନ ପ୍ରକାର ସୁନା ଅଳଙ୍କାର ଦେଖାଇଥିଲେ । ଏଥିମଧ୍ୟରେ ବ୍ୟକ୍ତି ଜଣଙ୍କ ୨ଟି ସୁନା ଚେନ୍‌ ଓ ୨ଟି ସୁନା ମୁଦି ପସନ୍ଦ କରିଥିଲେ। ଏହାର ମୂଲ୍ୟ ୧ଲକ୍ଷ ୬୯ହଜାର ଟଙ୍କା ହୋଇଥିଲା। ଏହି ଟଙ୍କା ବ୍ୟକ୍ତି ଜଣକ ମୋବାଇଲ୍‌ରେ ଏନ୍‌ଇଏଫ୍ଟି କରିବା ପାଇଁ ଦୋକାନ ମାଲିକଙ୍କୁ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍‌ସ ମାଗିଥିଲେ। ଦୋକାନ ମାଲିକ ତାଙ୍କୁ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍‌ସ ଦେଇଥିଲେ। ବ୍ୟକ୍ତି ଜଣଙ୍କ ମୋବାଇଲ୍‌ରେ ଏନ୍‌ଇଏଫ୍ଟି କରି ଟଙ୍କା ପଠାଇଥିଲେ ଏବଂ ଦେକାନୀଙ୍କୁ ଏହାର ଏକ ସ୍କ୍ରିନ୍‌ ସର୍ଟ ଦେଖାଇ ସର୍ଭର ଡାଉନ୍‌ ରହିଛି, ପରେ ଏହା ସେଣ୍ଡ୍‌ ହୋଇଯିବ ବୋଲି କହି ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଦୋକାନୀ ୫ଦିନ ଅପେକ୍ଷା କରିଥିଲେ । ହେଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ ସେ ପୋଲିସରେ ଅଭିଯୋଗ କରିଥିଲେ।

Share