ହିଞ୍ଜିଳିକାଟୁ,୨୯ା୬(ଡି.ଏନ୍.ଏ.): ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଦୁର୍ଯ୍ୟୋଧନ ଗୌଡ଼ଙ୍କ ଘରର ବାଡ଼ିପଟ ଗ୍ରୀଲ୍ ଭାଙ୍ଗି ମଙ୍ଗଳବାର ରାତିରେ ଦୁର୍ବୃତ୍ତ ପ୍ରାୟ ୮ ଭରି ସୁନା ଓ ୨୦ ଭରି ରୁପା ଅଳଙ୍କାର, ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପରିବାର ସଦସ୍ୟ ରାତି ଭୋଜନ ସାରି ଶୋଇ ପଡ଼ିଥିଲେ। ବୁଧବାର ଭୋର୍ ପ୍ରାୟ ୫ଟାରେ ଦୁର୍ଯ୍ୟୋଧନ ଉଠି ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ମଧ୍ୟରେ ଥିବା ଆଲମିରା କବାଟ ଖୋଲା ଯାଇଥିବା ଓ ସେଥିରେ ଥିବା ଜିନିଷ ଏଣେତେଣେ ପଡ଼ିଥିଲା। ଆଲମିରା ମଧ୍ୟରେ ଥିବା ସୁନା ମୁଦି ଦୁଇଟି, ଦୁଇଟି ସୁନାଚେନ୍, ରିଙ୍ଗ୍, ଝୁମ୍ପି ଦୁଇ ହଳ, ୨ଟି ଲକେଟ୍ ଏବଂ ନଗଦ ୬୦ ହଜାର ଟଙ୍କା ଚୋରି ହୋଇଥିଲା। ଏଥି ସହିତ ଦୁଇଟି ଟିଣ ପେଡ଼ି ଘରଠାରୁ ୫୦ ମିଟର ଏକ ବୁଦାମୂଳେ ତାଲା ଭାଙ୍ଗି ପଡ଼ିଥିବା ଦୁର୍ଯ୍ୟୋଧନ ଥାନାରେ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଚୋରି ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇନାହିଁ।