ପରୀକ୍ଷା ଦେଇ ଫେରୁଥିଲେ ମହିଳା: ପିସ୍ତଲ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ସୁନାଚେନ୍‌

ପାଟଣା,୧୯।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପଶି ପାଟଣା ରାସ୍ତାର ହନୁମାନ  ଛକ ନିକଟରେ ଶନିବାର  ରାତିରେ ଲୁଟ୍‌ ହୋଇଛି। ୨ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଦମ୍ପତିଙ୍କୁ ପିଛାକରି ଥିଲେ। ପରେ ବାଇକ୍‌ ସମ୍ମୁଖକୁ ଆସି ପିସ୍ତଲ ଦେଖାଇ ମହିଳାଙ୍କ ସୁନା ଚେନ୍‌ ଲୁଟି ନେଇ ଫେରାର  ହୋଇଯାଇଛନ୍ତି।
ଉକ୍ତ ମହିଳାଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର  ଥାନା ଅଞ୍ଚଳରେ ହୋଇଥିବା ବେଳେ  ବାପଘର ପାଟଣା ଥାନା ସିଲିପଦା ଗ୍ରାମରେ। ମହିଳା ଜଣଙ୍କ ହେଉଛନ୍ତି ସୁଶାନ୍ତ ମହାନ୍ତଙ୍କ ସ୍ତ୍ରୀ ବିଜୟ ଲକ୍ଷ୍ମୀ ମହାନ୍ତ। ବିଜୟଲକ୍ଷ୍ମୀ  କେନ୍ଦୁଝରରୁ ଓଟିଇଟି ପରୀକ୍ଷା ଦେଇ ଫେରୁଥିବା  ବେଳେ ଲୁଟ୍‌ର ଶିକାର ହୋଇଥିଲେ। ବିଜୟ ଲକ୍ଷ୍ମୀଙ୍କ ୧୧ ଗ୍ରାମ ଓଜନର ସୁନା ଚେନ ଲୁଟ୍‌ ହୋଇଥିବା ସେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ ହୋଇଥିବା ସୁନାର ମୂଲ୍ୟ ୮୦ହଜାର ଟଙ୍କାରୁ ଅଧିକ ହେବ। ଲୁଟ୍‌ ପରେ ଦୁର୍ବୃତ୍ତ ମାନେ  ଚମ୍ପଟ ମାରିଥିଲେ । ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ  କରିଛି। ଏନେଇ ତୁରୁମୁଙ୍ଗା ଥାନା ରେ ୨୪୬/୨୪ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଏସ୍‌ଆଇ ରସାନନ୍ଦ ନାୟକ କହିଛନ୍ତି।