ଆନନ୍ଦପୁର,୩୦ା୧୦(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଘସିପୁରା ଥାନା ଅଧୀନ ୧୨ ନଂ ଓ୍ବାର୍ଡ ଶାଳପଡ଼ା କୈବଲ୍ୟ କଲୋନୀରୁ ଶନିବାର ବିଳମ୍ବିତ ରାତିରେ ଘରେ କେହି ନ ଥିବା ସୁଯୋଗରେ ଲୁଟେରାମାନେ ଘରେ ପଶି ସୁନା ଓ ନଗଦ ଟଙ୍କା ଲୁଟିନେଇଛନ୍ତି। ଏନେଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ ହେବା ପରେ ୩୩୮/୨୨ରେ ମାମଲା ରୁଜୁ କରାଯାଇଛି। ଘସିପୁରା ଥାନାଧିକାରୀ ବିକ୍ରମ କେଶରୀ ଭୂୟାଁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଲୁଟେରାମାନେ କଲୋନୀର ଅବସରପ୍ରାପ୍ତ କୃଷି କର୍ମଚାରୀ ଶତ୍ରୁଘ୍ନ ପତିଙ୍କ ଘର ଗ୍ରୀଲ ଭାଙ୍ଗି ପଶିଥିଲେ। ଘରେ କେହି ନ ଥିବାରୁ ଏହି ସୁଯୋଗରେ ଘରର ଉପର ମହଲାରେ ରହୁଥିବା ଭଡ଼ାଟିଆଙ୍କ କବାଟ ତାଲା ପକାଇ ଲୁଟ୍ କରିଥିଲେ। ଲୁଟେରାମାନେ ନଗଦ ୨୦ ହଜାର ଟଙ୍କା, ସୁନା ଚେନ୍ ଓ ମୁଦି ଲୁଟ୍ କରିଥିବା ଘସିପୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି।