Advertisement

ମ୍ୟାନେଜରଙ୍କଠାରୁ ଲୁଟି ଧରାପଡିଲେ

ରାଇରଙ୍ଗପୁର,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ଲକ୍ଷ୍ମୀପୋଷି ଗ୍ରାମ ନିକଟସ୍ଥ ରାସ୍ତାରେ ଗତ ୨ ତାରିଖରେ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କଠାରୁ ଲୁଟ ଘଟଣାରେ ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା ମଝିଗାଁ ଗ୍ରାମର ମହମ୍ମଦ ମୁବାରକ ଏବଂ ଅବଦୁଲ କୟମ। ମଙ୍ଗଳବାର ରାଇରଙ୍ଗପୁର ଅତିରିକ୍ତ ଏସ୍‌ପି ମନୋରଞ୍ଜନ ବିଶ୍ୱାଳ ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ସେମାନଙ୍କଠାରୁ ଏକ ବାଇକ୍‌ ସହ ୨ଟି ମୋବାଇଲ ଏବଂ ୪ ହଜାର ୫୮୦ ଟଙ୍କା ଜବତ ହୋଇଛି।

ସୂଚନା ଅନୁଯାୟୀ, ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ମ୍ୟାନେଜର ନିଶାକର ମଲ୍ଲିକ୍‌ ଯାମଦା ଅଞ୍ଚଳରୁ ୧୪ ହଜାର ୮ଶହ ଋଣ ଟଙ୍କା ଆଦାୟ କରି ଏକ ବ୍ୟାଗ୍‌ରେ ନେଇ ବାଇକ୍‌ ଯୋଗେ ରାଇରଙ୍ଗପୁର ଆସୁଥିଲେ। ଯାମଦା-ରାଇରଙ୍ଗପୁର ରାସ୍ତାରେ ନିର୍ଜନ ସ୍ଥାନରେ ୩ ଲୁଟେରା ତାଙ୍କୁ ଭୟଭୀତ କରି ଟଙ୍କା ବ୍ୟାଗ ଛଡ଼ାଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇ ପୋଲିସ ତଦନ୍ତ ଜାରି ରଖିଥିଲା। ରାଇରଙ୍ଗପୁର- ହାଟବାଦଡ଼ା ରାସ୍ତାରେ ସୋମବାର ସନ୍ଧ୍ୟାରେ ପୋଲିସ ୨ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅନ୍ୟ ଜଣେ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ପୋଲିସ କହିଛି। ମଙ୍ଗଳବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share