ଦିନ ଦ୍ୱିପ୍ରହରେ ଲୁଟି ନେଲେ ସୁନା ଅଳଙ୍କାର

ଗଞ୍ଜାମ,୩ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପୁଇଁତୋଳା ଗ୍ରାମର କୃଷ୍ଣ ଚନ୍ଦ୍ର ପଲାଇଙ୍କ ଘରୁ ଦିନ ଦ୍ୱିପ୍ରହରରେ ତାଲା ବନ୍ଦ ଘରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଏକ କାରରେ ଆସି ଗ୍ରିଲ ତାଲା ଭାଙ୍ଗି ଘରେ ପଶି ଆଲମିରା ତାଡି ୨ ଭରିର ସୁନା ମଙ୍ଗଳସୂତ୍ର ନେଇ ଯାଇଥିବା ଘର ମାଲିକ ଅଭିଯୋଗ କରିଛନ୍ତି। ଘର ମାଲିକ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାରୁ ସେଠାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଜଣେ ଲୋକ ଛୋଟ ଶାବଳ ଧରି ତାଙ୍କ ଘରୁ ପଦାକୁ ଆସୁଥିବା ଦେଖି ତୁମେ କିଏ ବୋଲି ପଚାରିଥିଲେ। ଦୁର୍ବୃତ୍ତ ଜଣଙ୍କ ଘର ମାଲିକଙ୍କୁ ଧକ୍କା ମାରି ଗାଡ଼ିରେ ଚମ୍ପଟ ମାରିଥିଲେ। ଘରେ ବିଭିନ୍ନ ସାମଗ୍ରୀ ଫୋପଡ଼ା ଫିଙ୍ଗା ହୋଇଥିବା ଓ ସୁନା ମଙ୍ଗଳସୂତ୍ର ଚୋରି ହୋଇଥିବା ଜାଣିବା ପରେ ଥାନାକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି।