ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଟଙ୍କା, ସିସିଟିଭିରେ କଏଦ

ଜଗତସିଂହପୁର ଅଫିସ,୨୨ା୬: ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରାର ଶୈବପୀଠ ଗୋରେଖନାଥଙ୍କ ହୁଣ୍ଡିରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରୁଥିବାର ଦୃଶ୍ୟ କଏଦ ହୋଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ଗୋରେଖନାଥଙ୍କ ହୁଣ୍ଡିକୁ ଭାଙ୍ଗିଥିଲେ। ପରେ ହୁଣ୍ଡିରେ ଥିବା ଟଙ୍କାକୁ ଏକ ଅଖାରେ ପୂରାଇ ନେଇ ଯାଇଥିଲେ। ୬ ମାସ ତଳେ ଗୋରେଖନାଥଙ୍କ ହୁଣ୍ଡିରୁ ଟଙ୍କା ଗଣାଯାଇଥିଲା। ତା’ ପରଠାରୁ ଆଉ ହୁଣ୍ଡି ଭଙ୍ଗା ଯାଇ ନ ଥିଲା। ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ କରୁଛି। ତେବେ ମନ୍ଦିର ପରିସରରେ ଫାଣ୍ଡି ଥାଇ କିଭଳି ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share