ମନ୍ଦିର ହୁଣ୍ଡି ଭାଙ୍ଗି ୧୨ ହଜାର ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ଶୈବପୀଠର ଦାନ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ୧୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ହେଲା ଭକ୍ତମାନେ ଶୈବପୀଠକୁ ଯାଉ ନ ଥିବା ସୁଯୋଗ ନେଇ ଶନିବାର ରାତିରେ ଦୁର୍ବୃତ୍ତମାନେ ଶୈବପୀଠର ଦାନହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେବା ସହ ଭଣ୍ଡାର ଘର ଓ ଅଫିସ ରୁମ୍‌ର ତାଲା ଭାଙ୍ଗି ବିଭିନ୍ନ ଆସବାବପତ୍ର ଫିଙ୍ଗା ଫୋପଡ଼ା କରିଥିବା ଜଣାପଡ଼ିଛି। ରବିବାର ଭୋର୍‌ରେ ପୂଜକ ମଙ୍ଗଳ ଆଳତି ପାଇଁ ଶୈବପୀଠକୁ ଯାଇଥିବା ବେଳେ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଶୈବପୀଠ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଓ ବହୁ ସଂଖ୍ୟକ ଗ୍ରାମବାସୀ ଶୈବପୀଠ ପରିସରରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଚୋରି ଘଟଣା ସମ୍ପର୍କରେ କେ. ନୂଆଗାଁ ଥାନାରେ ଏତଲା ଦେଇଛନ୍ତି।