ସରକାରୀ ଜମିରୁ ରାତିଅଧିଆ ମୋରମ ଲୁଟ୍‌

କୋରେଇ,୬ା୪(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ। ବାଲି, ମାଟି, ମୋରମ, ମାଙ୍କଡା ପଥର ଆଦି ଚୋରାଚାଲାଣ କରି ମାଫିଆ ଅନେକ କୋଟି ଟଙ୍କା କମାଉଛନ୍ତି। ବ୍ୟାସନଗର ତହସିଲର କିଛି କର୍ମଚାରୀ ମଧ୍ୟ ଏଥିରେ ମାଫିଆଙ୍କୁ ସହଯୋଗ କରି ମୋଟା ଅଙ୍କର ମୁନାଫା ନେଉଥିବା ଆଲୋଚନା ହେଉଛି। ତହସିଲ ଅଧୀନ ପଛିକୋଟ ଆରଆଇ ସର୍କଲର ଆଖପାଖ ଅଞ୍ଚଳରେ ଜଙ୍ଗଲ ଓ ସରକାରୀ ଜମିରୁ ରୀତିମତ ମୋରମ ଚୋରି ହେଉଥିବା ଅଭିଯୋଗ ହେଉଛି। ହେଲେ ରାଜସ୍ବ ବିଭାଗ ଏହାର ଟେର୍‌ ପାଉନାହିଁ।
ଏହି ଆରଆଇ ସର୍କଲ ପରମାନନ୍ଦପୁର ମୌଜା ଖାତା ନଂ.୪୮୦ ଏବଂ ପ୍ଲଟ ନଂ.୧୫୬୭ ସରକାରୀ ଜମିରୁ ମଙ୍ଗଳବାର ରାତିରେ ସ୍ଥାନୀୟ କିଛି ମାଫିଆ ଟ୍ରାକ୍ଟର ଯୋଗେ ଶତାଧିକ ଟ୍ରିପ୍‌ ମୋରମ ଚୋରାଚାଲାଣ କରିଛନ୍ତି। ଏହି ମୋରମକୁ ଟ୍ରିପ ପିଛା ୧୫୦୦ ଟଙ୍କାରେ କିଣି ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମର କିଛି ଠିକାଦାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟରେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଖୋଳା ଯାଉଥିବା ସ୍ଥାନଗୁଡ଼ିକରେ ବିଶାଳ କାୟ ଗର୍ତ୍ତ ସୃଷ୍ଟି ହେଉଥିବାବେଳେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ବ ହାନି ଘଟୁଛି।
ସେହିପରି ରଗଡ଼ି କାମୁଡ଼େଇ ଗ୍ରାମ ଉନ୍ନୟନ ରାସ୍ତା ନିର୍ମାଣ ଆଳରେ ଠିକାଦାର ତହସିଲର ବିନା ଅନୁମତିରେ ମା’ କାମୁଡେଇ ନିକଟରେ ଥିବା ସରକାରୀ ଜମିରୁ ରାସ୍ତାର ମୂଳଦୁଆ ପାଇଁ ବିପୁଳ ମୋରମ ତାଡ଼ିନେଉଛନ୍ତି। ଏଥିସହିତ ପ୍ରତିଦିନ ଡ୍ରମ୍ଫର ଯୋଗେ ୨/୩ ଟ୍ରିପ ସ୍ଥାନୀୟ ଅଞ୍ଚଳରେ ଗାଡ଼ି ପିଛା ୨ ହଜାରରେ ବିକ୍ରି କରି ରାସ୍ତା ନିର୍ମାଣରେ ନିଯୁକ୍ତ କରିଥିବା କିଛି ଯୁବକଙ୍କୁ ଦରମା ଆକାରରେ ଦେଉଥିବା ଆଲୋଚନା ହେଉଛି। ଏନେଇ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ମାଫିଆ ଓ କେତେଜଣ ରାଜସ୍ବ କର୍ମଚାରୀଙ୍କ ସଲାସୁତୁରା ପାଇଁ ୩ ବର୍ଷ ମଧ୍ୟରେ ପଛିକୋଟ ଏବଂ କନ୍ତୋର ଆରଆଇ ସର୍କଲରୁ ମୋରମ ଓ ମାଙ୍କଡା ପଥର ଉପରେ ସରକାର ପ୍ରାୟ ୩ କୋଟି ଟଙ୍କାର ରାଜସ୍ବ ହରାଇଥିବା ଆକଳନ କରାଯାଇଛି। ଏହାର ଏକ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ସତ୍ୟ ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏନେଇ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରୁ ସେ ଏହାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।