ଚଣ୍ଡିଖୋଲ,୬।୨(ଡି.ଏନ.ଏ.): ଓଡ଼ିଶାର ବୌଦ୍ଧ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ହୀରକ ତ୍ରିଭୁଜ ଗଠିତ। ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ, ଗବେଷକ ଓ ଅନ୍ତର୍ଜାତୀୟ ଟୁର୍ ଅପରେଟର ଆସିଥାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥାଏ। ତେବେ ଆଶ୍ଚର୍ଯ୍ୟର କଥା ଲଳିତଗିରି ବୌଦ୍ଧବିହାର ଅଞ୍ଚଳରେ ଗୋଟିଏ ବି ପାର୍କ କିମ୍ବା ଉଦ୍ୟାନ ନ ଥିଲା ବେଳେ ଏଠାରେ ବିଭାଗ ତରଫରୁ ୧୧ ବର୍ଷରେ ୯୫ ଲକ୍ଷ ୪୫ ହଜାର ୧୬୦ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଏଏସ୍ଆଇ ଉଦ୍ୟାନ ବିଭାଗ ଉଦ୍ୟାନ ସୃଷ୍ଟି କରିବା, ଏହାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ବାବଦରେ ଏହି ଟଙ୍କା ଖର୍ଚ୍ଚ କରିଛି। ତେବେ ସମ୍ପୃକ୍ତ ବୌଦ୍ଧ ପୀଠରେ ଗୋଟିଏ ବି ଉଦ୍ୟାନ ନ ଥିଲା ବେଳେ କିପରି ଟଙ୍କା ଖର୍ଚ୍ଚ କରାଗଲା ତାହାକୁ ନେଇ ଲଳିତଗିରି ସରପଞ୍ଚ ସଂଯୁକ୍ତା ସିଂହ ପ୍ରଶ୍ନ ଉଠାଇଛନ୍ତି।
କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନରେ ଅବସ୍ଥିତ ଏହି ବୌଦ୍ଧ ପୀଠ ଲଳିତଗିରିରୁ ଭଗବାନ ତଥାଗତ ବୁଦ୍ଧଙ୍କ ଅସ୍ଥି ମିଳିଥିଲା। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଫଳରେ ଏଏସ୍ଆଇ ପକ୍ଷରୁ ବୁଲେଟ୍ ପ୍ରୁଫ୍ ସଂଗ୍ରହାଳୟ କରାଯାଇ ବୁଦ୍ଧଙ୍କ ଅସ୍ଥି ରଖାଯାଇଛି। ଏହା ଏକ ପ୍ରାଚୀନ ବୌଦ୍ଧପୀଠ ଭାବେ ଚୀନ ପରିବ୍ରାଜକ ହୁଏନସାଂଙ୍କ ଲିଖିତ ପୁସ୍ତକ ପୁ-ଷି-କୋ-କି-ଳିରେ ବର୍ଣ୍ଣିତ ହୋଇଛି। ଐତିହାସିକଙ୍କ ମତରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଖ୍ରୀ:ଅ: ୨ୟ ଶତାବ୍ଦୀ ସମୟର ପ୍ରାଚୀନ ବୌଦ୍ଧ ସ୍ତୂପ ଆବିଷ୍କୃତ ହୋଇଛି। ଯେଉଁ ସ୍ତୂପ ମଧ୍ୟରୁ ଏହାର ଉତ୍ଖନନ ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ବୁଦ୍ଧଙ୍କ ଅସ୍ଥି ପେଟିକାକୁ ଆବିଷ୍କାର କରିଥିଲା। ତିନିଟି ଫରୁଆରେ ରହିଥିବା ଏହି ଅସ୍ଥି ଏବେ ବୁଲେଟ୍ ପ୍ରୁଫ୍ ସଂଗ୍ର୍ରହାଳୟରେ ରହିଛି। ଏହା ସହ ଲଳିତଗିରିରେ ୩ଟି ପ୍ରାଚୀନ ବୌଦ୍ଧ ବିହାର ସମେତ ବହୁ ପ୍ରାଚୀନ ମୂର୍ତ୍ତି ଆବିଷ୍କୃତ ହୋଇ ଗଚ୍ଛିତ ରହିଛି। ଏଠାରୁ ମିଳିଥିବା ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକ ୬ଷ୍ଠ ଶତାଦ୍ଦୀରୁ ଏକାଦଶ ଶତାଦ୍ଦୀ ସମୟର ବୋଲି ଐତିହାସିକ ମତ ଦେଇଛନ୍ତି।
ବିଭିନ୍ନ ଦେଶର ଗବେଷକ ଏଠାକୁ ଆସି ଗବେଷଣା କରି ପୁସ୍ତକ ରଚନା କରିଛନ୍ତି। ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଏଠାରେ ସବୁଜ ବନାନୀ କିମ୍ବା ଉଦ୍ୟାନ ସୃଷ୍ଟି ହୋଇପାରି ନାହିଁ। ଏହାର ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ବୁଦ୍ଧାୟନ ତରଫରୁ ଦାବି କରାଯାଇଛି। ଏଏସ୍ଆଇର ଓଡ଼ିଶା ଅଧୀକ୍ଷକ ଅରୁଣ କୁମାର ମଲିକ କହିଛନ୍ତି, ମୁଁ ନୂତନ ଭାବେ ଯୋଗ ଦେଇଛି। ସେ ସମ୍ପର୍କରେ କହିପାରିବି ନାହିଁ। ତେବେ ଭାରତର ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧୀନରେ ଥିବା ଏକ ଉଦ୍ୟାନ ବିଭାଗ ପକ୍ଷରୁ ଏହି ଅର୍ଥ ଖର୍ଚ୍ଚ କରାଯାଇଥାଏ ବୋଲି ସେ ସୂଚନା ଦେଇଥିଲେ।